ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ବନ ବିଭାଗର ପଟାଭାଡ଼ି ନର୍ସରୀ ଠାରେ ଡିଏଫଓ ମଦନଲାଲ ଶର୍ମାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଶର୍ମାଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ଓ ସ୍ୱତନ୍ତ୍ର ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀ ତଥା ନୂତନ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଅଜିତ ବିଶି, ସମ୍ମାନିତ ଅତିଥି ଭାବେ ଆରସିସିଏଫ୍ ସନ୍ତୋଷ ଯୋଶୀ, ବଲାଙ୍ଗିର ଏସିଏଫ୍ ମାନସ ବେହେରା, ସୁବର୍ଣ୍ଣପୁର ଏସିଏଫ୍ ଗିରିଧାରୀ ନାଗ, ବୀରମହାରାଜପୁର ଏସିଏଫ୍ ଅବିନାଶ ବରିହା, ସୋନପୁର ଉପଖଣ୍ଡ ବନାଞ୍ଚଳ ଅଧିକାରୀ ସୁବାଷ ମହାପାତ୍ର ଯୋଗଦେଇ ଡିଏଫଓ ଶ୍ରୀ ଶର୍ମାଙ୍କୁ ଫୁଲତୋଡା ଉପଢୌକନ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ଅବସର ଜୀବନରେ ସୁଖ ଶାନ୍ତି ପାଇଁ ଶୁଭକାମନା ଜଣାଇଥିଲେ । ନୂତନ ଡିଏଫଓ ଅଜିତ ବିଶିଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଶର୍ମା ଜଙ୍ଗଲ ସୁରକ୍ଷା ଦିଗରେ ଉତ୍ସର୍ଗୀକୃତ ସେବା ଜାରି ରଖିବାକୁ ପରାମର୍ଶ କରିଥିବା ବେଳେ ନୂତନ ଡିଏଫଓ ଶ୍ରୀ ବିଶି ଜଙ୍ଗଲ ସହ ବନ୍ୟ ସୁରକ୍ଷା ଓ ଅଗ୍ନି ନିରାପତ୍ତା ଦିଗରେ ସଜାଗ ରହିବାକୁ ପ୍ରଥମେ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି । ସେହିପରି ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ମଧ୍ୟ ଶ୍ରୀ ଶର୍ମାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ନୂତନ ଡିଏଫ୍ଓଙ୍କୁ ସ୍ୱାଗତ କରାଯାଇଥିଲା । ସଭାରେ ଉଲୁଣ୍ଡା ରେଞ୍ଜର ଦେବରାଜ ଛତ୍ରିଆ, ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ରେଞ୍ଜ ଅଫିସର, କର୍ମଚାରୀ, ଅନେକ ବୁଦ୍ଧିଜୀବୀ, ସାମ୍ୱାଦିକ ପ୍ରମୁଖ ଯୋଗ ଦେଇଥିଲେ । ସୋନପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୀରମହାରାଜପୁର ଏସିଏଫ୍ ଅବିନାଶ ବରିହା ସଭାପରିଚାଳନା କରିଥିବା ବେଳେ ରେଞ୍ଜ ଅଫିସର ପ୍ରସନ୍ନ କୁମାର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।