ନିର୍ଝରିଣୀ ତରଫରୁ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ସ୍ଥାନୀୟ ସିଗନାଲ ପଡାରେ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସେବା ନିବୃତ୍ତ ମେଜର କମଳ କିଶୋର ବେହେରା ମୁଖ୍ୟ ଅତିଥି, ପ୍ରଶାସନିକ ଅଧିକାରୀ ସନ୍ତୋଷ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଠଶିଳ୍ପୀ ଗଣପତି ବେହେରା, ତୁଷାର ବଡଜେନା, ଅଞ୍ଜଳି ମାଝୀ, ଦୀପା ନାୟକ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ଗାଇଥିଲେ । ଜାତୀୟ ଯୁବ ଦିବସ ଅବସରରେ ମେଟ୍ରିକ ଟପର ସୁଶ୍ରୀ ବର୍ଷାରାଣୀ ଆଚାରୀ, ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ଦିଲ୍ଲୀ ପାର୍ଲିଆମେଣ୍ଟରେ ବକ୍ତବ୍ୟ ପ୍ରଦାନ କରିଥିବା ରାଜ ଆର୍ଯ୍ୟନ ଦୋରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତା’ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଲୁନ ଫୁଙ୍କା, ପୁଚି, ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ସୁନା, ଥମିର ଛତ୍ରିଆ, କିଶୋର ବରିହା, ହେରମ୍ବ ବାଗ, ସବିତା ରଣା, ରାଜେନ୍ଦ୍ର ଦୋରା, ରେଣୁକା ବେହେରା, ନବ୍ୟା ସେଠ, ତରୁଣ ସେନ ପୁଟେଲ, ମିଚି ରଣା, ପ୍ରହ୍ଲାଦ ରଣା ଆଦି ସହଯୋଗ କରିଥିଲେ । ସେହିପରି ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବରେ ହରିଶଙ୍କର ସାହୁ, ସିଆରସିସି ଧନସିଂ ମାଝୀ, ବିରଞ୍ଚି ନାରାୟଣ ଦାଶ, ମନୋଜ ତାଣ୍ଡୀ, ବିରଞ୍ଚି ଖର୍ସେଲ, ଭବାନୀ ମାଝୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ ଗୀତ ଗାଇବା ସହିତ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.