centurian jitm

ବିଶ୍ୱ ମୃତ୍ତିକା ଦିବସ ପାଳନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଲର୍କିପାଲି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ମୃତ୍ତିକା ଦିବସ ପାଳନ ହୋଇଯାଇଛି । କୋଭିଡ-୧୯ ପରିସ୍ଥିତିକୁ ଲକ୍ଷ୍ୟ ରଖି ସାମାଜିକ ଦୂରତା ବଜାୟ ରଖିବା ସହିତ ୪୦ ଜଣ ଚାଷୀଙ୍କୁ ନେଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଂଚାୟତ ସ୍ତରରେ ମୃତ୍ତିକାର ସ୍ୱାସ୍ଥ୍ୟ ଓ କମ୍‌ ରାସାୟନିକ ସାରର ବ୍ୟବହାର, ପରିବାର ସ୍ତରରେ ମୃତ୍ତିକା ଯତ୍ନର ସଚେତନତା, ୟୁଟ୍ୟୁବ ମାଧ୍ୟମରେ ନୂତନ ଜ୍ଞାନକୌଶଳର ଶିକ୍ଷା, ପରିବାରରେ ସୁସ୍ଥ ପନିପରିବାର ବ୍ୟବହାର ଉପରେ ଶ୍ରୀମତୀ ମହାନନ୍ଦ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ ଓ ମୃତ୍ତିକା ଦିବସର ଗୁରୁତ୍ୱ ଉପରେ ମତ ରଖିଥିଲେ । କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଆଶିଷ ଦାସ ସଭା ପରିଚାଳନା କରିଥିଲେ ଓ ସହକାରୀ କୃଷି ନିର୍ଦ୍ଦେଶକ ତଥା ମୃତ୍ତିକାବିତ୍‌ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏତଦ୍‌ ବ୍ୟତୀତ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ମିଶନ, ସୌମେନ୍ଦ୍ର ମିଶ୍ର, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶାରଦା ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ କେଶବ ମିଶ୍ର, ପାଟଣାଗଡ଼ ଜିଲ୍ଲା କୃଷି ଅଧିକାରୀ ସୁରେନ୍ଦ୍ର ନାଥ ସିଂହ, ଇଫ୍‌କୋ ଅଧିକାରୀ ରତିକାନ୍ତ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ତପନ ପଲାଇ, ରାହୁଲ ଦେବ ବେହେରା, ଦେବଶ୍ରୀ ସରକାର, ସାଗରିକା ସୁନା, ଜିଲ୍ଲା ମୁଖ୍ୟ କୃଷି ଯନ୍ତ୍ରୀ ଦେବବ୍ରତ ଦାଶ ତଥା ଅନ୍ୟାନ୍ୟ ଅଧିକାରୀମାନେ ଏହି ଦିବସରେ ଯୋଗଦାନ ଦେଇଥିଲେ । ମୃତ୍ତିକା ସ୍ୱାସ୍ଥ୍ୟ ପତ୍ରିକାର ଗୁରୁତ୍ୱ, ଅଣଧାନ ଚାଷର ଆବଶ୍ୟକତା, ଡାଲି ଓ ତୈଳ ଫସଲ ଚାଷର ଗୁରୁତ୍ୱ, ଜଳର ସୁବିନିଯୋଗ, ମାଟିରେ ଅଚାଜୀବର ସଂଖ୍ୟା କିପରି ବଢ଼ାଯାଇପାରିବ, ଆଁଟ ଜମିରେ ପନିପରିବା ଓ ଫଳ ଚାଷ ଇତ୍ୟାଦି ଉପରେ ଧ୍ୟାନ ଦେବା ପାଇଁ ଏହି ଦିବସରେ ଆଲୋଚନା ହୋଇଥିଲା । ୩୦ ଜଣ ଚାଷୀଙ୍କୁ କୃଷି ବିଭାଗ ଓ କୃଷି ବିଜ୍ଞାନ ତରଫରୁ ମିଳିତ ରୂପେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ପତ୍ରିକା ବଣ୍ଟା ଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ଓ କୃଷି ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ପ୍ରଦର୍ଶନ ହୋଇଥିଲା ।

Leave A Reply

Your email address will not be published.