ଭିନ୍ନକ୍ଷମ ବିଦ୍ୟାଳୟଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) ସୋନପୁର କଳାପଥର ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟଠାରେ ସମ୍ବର୍ଦ୍ଧନା ଉତ୍ସବ ତଥା ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଉପସଭାପତି ହରି ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ଚଳିତ ବର୍ଷ ମନୋନୀତ ହୋଇଥିବା ଅନୁଷ୍ଠାନର ଦୁଇଜଣ ପୁରାତନ ଛାତ୍ରଛାତ୍ରୀ ସୁଶ୍ରୀ ସ୍ମୃତିଶିଖା ଭୋଇ ଓ ବାହାଦୂର ଦେବତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୋନପୁର ଶାଖାର ମୁଖ୍ୟ ପରିଚାଳକ ଲକ୍ଷ୍ମଣ କୁମାର ମାଝୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବାବେଳେ ପ୍ରତିଷ୍ଠାତା ସମ୍ପାଦକ ଉତ୍ତମ ଚରଣ ଦେହୁରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଚଳିତ ଥର ଜିଲ୍ଲାରୁ ଦୁଇଜଣ ଭିନ୍ନକ୍ଷମ ଓଏଏସ ପାଇଥିବା ବିଷୟ ଉଦାହରଣ ଦେଇ ଭିନ୍ନକ୍ଷମ ମାନେ ଏବେ ସବୁ କ୍ଷେତ୍ରରେ ସକ୍ଷମ ବୋଲି କହିବା ସହ ବାପା ମା’ ମାନଙ୍କୁ ଦୁଃଖ ନ କରି ପିଲାଙ୍କ ଭବିଷ୍ୟତ ପାଇଁ ତାଙ୍କ ପଛପଟେ ଦୃଢ଼ ଭାବରେ ଛିଡା ହେବା ସହ ଏହା ଭଗବାନଙ୍କ ଏକ ପ୍ରକାର ଆଶୀର୍ବାଦ ବୋଲି କହିଥିଲେ । ସେହିପରି ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ସେବା, ସ୍ଥାପନା ଏବଂ ସତସଙ୍ଗ ଏହି ତିନୋଟି ଜିନିଷ ତାଙ୍କୁ ସଫଳତା ଦିଗରେ ଅନୁପ୍ରେରିତ କରିଛି । ମୁଁ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ଉନ୍ନତ ମାନର ଶିକ୍ଷାନୁଷ୍ଠାନରେ ପାଠ ପଢିବା ତାଙ୍କ ପାଇଁ ସ୍ୱପ୍ନ ଥିଲା । କିନ୍ତୁ ଯାହା ବି ଶିକ୍ଷା ଗ୍ରହଣ କରିଥିଲି ତାହା ସମସ୍ତଙ୍କୁ ପ୍ରସାର ତଥା ଅନୁଭବରେ ବାଣ୍ଟୁଥିଲି । ପରର କଲ୍ୟାଣ କଲେ ନିଜ କଲ୍ୟାଣର ମାର୍ଗ ପ୍ରଶସ୍ତ ହୋଇଥାଏ ବୋଲି ସେ କହିଥିଲେ । ସଭା ଶେଷରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନୃତ୍ୟ ଗୀତ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ । ଅଭିଭାବକ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.