jayashree

ଆନ୍ତର୍ଜାତିକ ଫୁଲ୍ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ ଅଫ୍ ମାର୍ଶାଲ ଆର୍ଟ ରାଉରକେଲା ତରଫରୁ ଜଲଦା ‘ସି’ ବ୍ଲକ ସ୍ଥିତ ବାପୁଜୀ କ୍ଲବ ଠାରେ ଆନ୍ତର୍ଜାତୀୟ ଫୁଲ୍‌ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସେନସାଇ ସନ୍ତୋଷ ତନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୂର୍ତ୍ତ ବିଭାଗର ସହ ନିର୍ଦ୍ଦେଶକ ମନୋଜ କୁମାର ମହାନନ୍ଦ ମୁଖ୍ୟ ଅତିଥି ଓ ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ ସମ୍ମାନିତ ଅତିଥି ତଥା ଅନ୍ୟତମ ଅତିଥି ଭାବେ ଶ୍ରୀଚରଣ ମହାନ୍ତି, ଜ୍ୟୋତିରେଖା ମହାନନ୍ଦ, ଅଜୟ ପରିଡ଼ା, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ, ସମ୍ମାନିତ ଅତିଥି ଶ୍ରୀ ସୁନ୍ୟାନୀ ଓ ଅନ୍ୟ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଏହି ମାର୍ଶାଲ ଆର୍ଟର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖି ଏହା ମାନସିକ ଓ ଶାରିରୀକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ । ସେହିପରି ସନ୍ତୋଷଙ୍କ ପାଇଁ ଖାଲି ଜଲଦା, ରାଉରକେଲା ବା ସୁନ୍ଦରଗଡ ଜିଲ୍ଲା କାହିଁକି ସମଗ୍ର ରାଜ୍ୟ ଏଥିପାଇଁ ଗର୍ବିତ ବୋଲି କହିଥିଲେ । ସେନସାଇ ଶ୍ରୀ ତନ୍ତୀ ଏହି ଆର୍ଟ ଆତ୍ମ ନିର୍ଭରଶୀଳ, ମାନସିକ ଓ ଶାରିରୀକ ଶକ୍ତି ବୃଦ୍ଧି, ଆତ୍ମରକ୍ଷା ଓ ଆତ୍ମସୁରକ୍ଷା ପାଇଁ ଆବଶ୍ୟକ ବୋଲି ମତ ରଖିଥିଲେ । ଏହି ଅବସରରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ବ୍ଲାକ ବେଲ୍ଟ ହାସଲ କରିଥିବା ୧୨ଜଣ ପ୍ରତିଯୋଗୀଙ୍କୁ ଅତିଥି ମାନେ ଜାପାନରୁ ଆସିଥିବା ବ୍ଲାକ ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁରୁଷୋତ୍ତମ ଲୋହାର, ଯଶୋଦା ମୁଣ୍ଡା,ଅଶୋକ ମୁଣ୍ଡା, ଆକାଶ ମୁଣ୍ଡାରୀ, ହାପି ତନ୍ତୀ, ବଳରାମ ନାୟକ, ସଲଖୁ ମୁର୍ମୁ, ରଞ୍ଜିତା ଗୁରିଆ, ରଶ୍ମିତା କିଶାନ, ସତ୍ୟମ ଲୁଗୁନ, ଥୋମାସ ଲୁଗୁନ ଓ ଦୀପିକା ଭୂମିଜ ପ୍ରମୁଖଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଚ୍ ତଥା ବିଚାରକ ଭାବେ ପଶ୍ଚିମବଙ୍ଗରୁ ସୁପ୍ରିତ ମିତ୍ର, ସୋନୁ ପାଣ୍ଡେ, କାଜଲ ଦେ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସୁଶ୍ରୀ ସମୃଦ୍ଧି ଶୁଭଦର୍ଶନୀ ଓ ଦେବସ୍ମିତା ମହାରଣା ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସେନସାଇ ଶ୍ରୀ ତନ୍ତୀଙ୍କ ସମେତ ୧୨ ଜଣ ବ୍ଲାକ ବେଲ୍ଟ ଧାରୀ ପେଟ, ହାତ, ଜଙ୍ଘରେ ହକି ଷ୍ଟିକ୍ ଭାଙ୍ଗିବା, ମୁଣ୍ଡ ସାହାଯ୍ୟରେ ବରଫକୁ ଖଣ୍ଡ ଖଣ୍ଡ କରିବା, ହାତରେ ନଡ଼ିଆ ଓ କାଚ ବୋତଲ ଭାଙ୍ଗିବା, ଆତ୍ମରକ୍ଷା କୌଶଳ ପ୍ରମୁଖ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କୋଚ ଶ୍ରୀ ମିତ୍ର ଆସନ୍ତା ଗ୍ରୀଷ୍ମ କାଳୀନ ଶିବିର ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଶିକ୍ଷାର୍ଥୀଙ୍କ ସହ ସେମାନଙ୍କ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବହୁ ଦର୍ଶକ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଗ୍ରାମ ପଟ୍ଟନାୟକ, ହାପି ତନ୍ତୀ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.