ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି ବଲାଙ୍ଗିର ଜଳସେଚନ ବିଭାଜନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପାଣି ପଞ୍ଚାୟତ ଯୋଜନା ଏକ ଠିକ୍ ଯୋଜନା ଏହାର ଉଦ୍ଦେଶ୍ୟ ମଧ୍ୟ ଚାଷୀମାନଙ୍କର ସ୍ୱାର୍ଥ ପାଇଁ କିନ୍ତୁ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବରେ କମ୍‌ ସଂଖ୍ୟକ ନିମନ୍ତ୍ରିତ ଚାଷୀମାନଙ୍କ ଉପସ୍ଥିତି ଯୋଗୁଁ ସେ କ୍ଷୋଭ ପ୍ରକାଶ କରିଥିଲେ । ଯୋଜନା ସଫଳ ରୂପାୟନ ଦିଗରେ ଚାଷୀମାନଙ୍କୁ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଯେତେ ବି ଜଳସେଚନର ମାଧ୍ୟମ ଯଥା ମେଗା ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏ ସମସ୍ତଙ୍କୁ ମିଳାଇଲେ ମଧ୍ୟ ଜିଲ୍ଲାର ଜଳସେଚନର ଆବଶ୍ୟକତା ପୂରଣ ହୋଇପାରୁନାହିଁ, ତେଣୁ ଯଦି ପ୍ରକୃତରେ ଆମେ ଚାଷୀଙ୍କ ହିତ ଚାହୁଁଛୁ ଏବଂ ପାଣି ପଞ୍ଚାୟତ ଦ୍ୱାରା ପାଣିର ସୁଷମ ବଣ୍ଟନ ଚାହୁଁଛୁ ତେବେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଗାଁକୁ ଯାଇ ସରକାର ଦେଉଥିବା ଅନୁଦାନର ଶତପ୍ରତିଶତ ଲୋକଙ୍କ ଚାହିଦା ମୁତାବକ ଉପଯୋଗ କରନ୍ତୁ ଏବଂ ବିଭିନ୍ନ ଜଳସେଚନ ପ୍ରକଳ୍ପ ଠିକ୍ ହିସାବରେ କାର୍ଯ୍ୟକାରୀ କରି ଏ ଅଂଚଳରେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରକଳ୍ପ ନିର୍ମାଣ କରନ୍ତୁ । ତାହା ହେଲେ ଏ ଅଂଚଳର ଚାଷୀ ଉପକୃତ ହେବେ ଏବଂ ଯେଉଁ ଉଦ୍ଦେଶ୍ୟରେ ପାଣି ପଂଚାୟତ ସୃଷ୍ଟି ହୋଇଛି ସେ ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳର ଉପଯୁକ୍ତ ସଂରକ୍ଷଣ ଓ ସୁବିନିଯୋଗ ଉପରେ ଗୁରୁତ୍ଵାରୋପ କରିବା ସହ ପାଣି ପଞ୍ଚାୟତର ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ସହଯୋଗିତା ଓ ସହଭାଗିତା ତଥା ପାଣି ପଞ୍ଚାୟତ ମାଧ୍ୟମରେ ଚାଷୀମାନେ ଯେପରି ଉପକୃତ ହୋଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସମାରୋହରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳ ପରିଚାଳନାରେ ପାଣି ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ପାଣି ପଞ୍ଚାୟତ ସଶକ୍ତ ହେଲେ ଜଳର ଉତ୍ତମ ପରିଚାଳନା ହୋଇପାରିବ ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷ୍ୟା ଲିକା ସାହୁ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳର ସୁବିନିଯୋଗ ମାଧ୍ୟମରେ କୃଷି ଓ କୃଷକର ଉନ୍ନତି କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ୱାଲମି ଓଡିଶାର ଅବସରପ୍ରାପ୍ତ ପ୍ରଫେସର ବିଶ୍ଵଜିତ ମହାପାତ୍ର ଉତ୍ସବରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ପାଣି ପଞ୍ଚାୟତ ପରିଚାଳନା ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପୁରୀ ଜିଲ୍ଲା ମା’ ଜାଗୁଲାଇ ପାଣି ପଞ୍ଚାୟତର ସଭାପତି ତଥା ସାଧନ କର୍ମୀ ଗୀତାରାଣୀ ସାହୁ ଯୋଗଦେଇ ପାଣି ପଞ୍ଚାୟତର ଗଠନ ଓ କାର୍ଯ୍ୟକାରିତା ତଥା ଜଳର ସୁପରିଚାଳନା ଉପରେ ଆଲୋକପାତ କରିଥିଲେ । ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ତ୍ରିପାଠୀ ପାଣି ପଞ୍ଚାୟତ ପକ୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ପାଣି ପଞ୍ଚାୟତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୁଇଜ, ଚିତ୍ରାଙ୍କନ, ଓଡିଆ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉତ୍ସବରେ ଜିଲ୍ଲାର ୪ ଜଣ ଅଗ୍ରଣୀ ଚାଷୀ, ଟିଟିଲାଗଡ ବ୍ଲକ ଅନ୍ତର୍ଗତ ତରାସିଂହାର ଲଲିତ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡାର ନରେଶ ମେହେର, ଲୋଇସିଂହା ବ୍ଲକ ଅନ୍ତର୍ଗତ ବରକାନିର ଦେବର ବିଶ୍ଵାଳ ଓ ଲୋଇସିଂହା ବ୍ଲକ ଅନ୍ତର୍ଗତ ସାନଝାଙ୍କରପାଲିର ସୁମନ୍ତ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲାର ୩ ଗୋଟି ଅଗ୍ରଣୀ ପାଣି ପଞ୍ଚାୟତର ସଭାପତି, ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସେଚାଞ୍ଚଳ ବଙ୍ଗୋମୁଣ୍ଡା ଅଧିନସ୍ଥ କୌଶଳ ପାଣି ପଞ୍ଚାୟତର ସଭାପତି ମଞ୍ଜେଶ କୁମାର ମେହେର, ଉଠା ଜଳସେଚନ ପ୍ରକଳ୍ପ ସେଚାଞ୍ଚଳ ଅମୁର୍ଲା ଅଧିନସ୍ଥ ମା’ ପଠାଦେବୀ ପାଣି ପଞ୍ଚାୟତର ସଭାପତି ଘନଶ୍ୟାମ ପୋଢ ଓ ଝାରମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିନସ୍ଥ ମା’ ଦୁର୍ଗା ପାଣି ପଞ୍ଚାୟତର ସଭାପତି ବାଳକୃଷ୍ଣ ଧରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଉନ ହଲ୍‌ ପରିସରରେ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ମିଶନ ଶକ୍ତି ବିଭାଗ ଦ୍ଵାରା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ କ୍ଷୁଦ୍ର ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ଅଗ୍ରୱାଲ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ, ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ସଚ୍ଚିଦାନନ୍ଦ ଦଳାଇଙ୍କ ସମେତ ଜଳସେଚନ ବିଭାଜନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ବିଭାଗର ଅଧିକାରୀ ଓ ବିଭିନ୍ନ ପାଣି ପଞ୍ଚାୟତରୁ ଆସିଥିବା ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ସଭା ଶେଷରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.