ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ପୁରୁଷ ହକି ବିଶ୍ଵ କପ୍ ହେବାକୁ ଥିବା ଅବସରରେ ପାଇକମାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ହାଇସ୍କୁଲ ପଡ଼ିଆରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତସ୍ତରୀୟ କ୍ରିକେଟ ଖେଳରେ କେଛୋଦାଦର, ଝିଟିକି, ବାଦିକଟା, ମାଣ୍ଡୋସିଲ ଦଳ ସେମିଫାଇନାଲ୍କୁ ଆସିଥିଲେ । ସେଥିରୁ ଝିଟିକି ଓ ମାଣ୍ଡୋସିଲ ଫାଇନାଲ୍କୁ ଉନ୍ନୀତ ହୋଇଥିଲେ । ଏହି ଖେଳ ପାଇକମାଲ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏହାକୁ ବିଡ଼ିଓ ସୁରେନ୍ଦ୍ର କୁମାର ସାହୁ ଉଦ୍ଘାଟନ କରିଥିଲେ । ଫାଇନାଲ୍ ଖେଳରେ ମାଣ୍ଡୋସିଲ ଟସ୍ ଜିଣି ପ୍ରଥମେ ଫିଲଡିଙ୍ଗ୍ କରିଥିବା ବେଳେ ଝିଟିକି ଦଳ ବ୍ୟାଟିଂ କରି ୮ ଓଭର୍ରେ ୩ ୱିକେଟ ହରାଇ ୮୦ ରନ୍ ସଂଗ୍ରହ କରିଥିଲେ । ମାଣ୍ଡୋସିଲ ଦଳ ୮୦ ରନ୍ର ପିଛା କରି ୪ ଓଭର୍ ୫ ବଲରେ ୮ ୱିକେଟରେ ବିଜୟ ହୋଇଥିଲେ । ମୁଖ୍ୟ ଅତିଥି ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଭାବନା ସିଂ ଯୋଗ ଦେଇଥିବା ବେଳେ ବିଡ଼ିଓ ସୁରେନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିପିଇଓ ଅନିଲ କୁମାର ପାଣିଗ୍ରାହୀ, ସାମ୍ୱାଦିକ ବଡ଼ ଶତପଥୀ ଓ ଧିରେନ ମହାନ୍ତି ଯୋଗ ଦେଇ ବିଜେତା ମାଣ୍ଡୋସିଲ ଓ ଉପବିଜେତା ଦଳକୁ ପୁରସ୍କାର ବିତରଣ ସହ ଉତ୍ସାହିତ କରିଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ହେମନ୍ତ ମାଝୀ ଓ ମ୍ୟାନ୍ ଅଫ ଦି ସିରିଜ୍ ଘନଶ୍ୟାମ ମହାକୁଡ ମନୋନୀତ ହୋଇଥିଲେ । ଧାରା ବିବରଣ ରଶ୍ମିକାନ୍ତ ସାହୁ ଓ ଖେଳ ପରିଚାଳନା ହେମନ୍ତ ସେଠ୍ ଓ ସରୋଜ ପ୍ରଧାନ କରିଥିଲେ । ଶେଷରେ ଜିପିଇଓ ଅନିଲ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।