
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ତଳ ଆନୁକୂଲ୍ୟରେ ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ଠାରେ ମଣ୍ତଳସ୍ତରୀୟ ମେଗା ଡାକ ମେଳା ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୃଷ୍ଠପୋଷକତାରେ ଆୟୋଜିତ ମେଗା ଡାକ ମେଳାରେ ମୋଟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଡାକ ଜୀବନ ବୀମା ଓ ଗ୍ରାମୀଣ ଡାକ ଜୀବନ ବୀମା ପ୍ରିମିୟମ ସଂଗ୍ରହ ସହ ୧୦ ହଜାରରୁ ଉର୍ଦ୍ଧ୍ବ ଡାକ ଜମା ଖାତା ଯଥା ସୁକନ୍ୟା, ସଞ୍ଚୟ ଖାତା, ଆରଡି, ଟିଡି, ପିପିଏଫ ଆଦି ଖୋଲା ଯାଇଥିଲା । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ପୂର୍ବତନ ବରିଷ୍ଠ ଡାକ ଅଧିକ୍ଷକ ଦିବାକର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଲେଖା ଅଧିକାରୀ ରାଧାକାନ୍ତ ସାବତ ଓ ମୁଖ୍ୟ ବକ୍ତା ଭାବେ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ସିନିୟର୍ ମ୍ୟାନେଜର ବିଷ୍ଣୁ ପ୍ରସାଦ ରଥ ଯୋଗ ଦେଇଥିଲେ । ଡାକ ଜୀବନ ବୀମାର ସୁଲଭ ଘରେ ଘରେ ଉପଲବ୍ଧ କରାଇବା ପାଇଁ ଅତିଥିମାନେ ଉପସ୍ଥିତ ଶତାଧିକ ଡାକ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ ଡାକ ବିଭାଗରେ ଉପଲବ୍ଧ ବିଭିନ୍ନ ସେବା ଯଥା ବ୍ୟାଙ୍କିଙ୍ଗ ସେବା, ଇନସୁରାନ୍ସ ସେବା, ପାସପୋର୍ଟ ସେବା, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଡୋର୍ ଷ୍ଟେପ ପେମେଣ୍ଟ ସର୍ଭିସ୍ ଏବଂ ଜନ ସେବା କେନ୍ଦ୍ରର ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଡାକ ଜୀବନ ବୀମା ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଠଗଡ଼ ଶାଖା ଡାକପାଳ ଦୟାନିଧି ସେଠୀଙ୍କୁ ପ୍ରଥମ ପୁରସ୍କାର (୫,୨୨,୮୮୮ ଟଙ୍କା ପ୍ରିମିୟମ ସଂଗ୍ରହ), ପୁସ୍ତପୁର ଶାଖା ଡାକପାଳ ଜଗନ୍ନାଥ ସାହୁଙ୍କୁ ଦ୍ଵିତୀୟ ପୁରସ୍କାର (୩,୬୬,୮୧୩ ଟଙ୍କାର ପ୍ରିମିୟମ ସଂଗ୍ରହ) ଏବଂ ଭ୍ରମରପୁର ଶାଖା ଡାକପାଳ ସନ୍ତୋଷ କୁମାର ଭଟ୍ଟଙ୍କୁ ତୃତୀୟ ପୁରସ୍କାର (୩,୪୦,୪୨୨ ଟଙ୍କାର ପ୍ରିମିୟମ ସଂଗ୍ରହ) ପ୍ରଦାନ କରା ଯାଇଥିଲା । ଏତଦ୍ ବ୍ୟତୀତ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ପ୍ରିମିୟମ ବ୍ୟବସାୟ କରିଥିବା ୧୫ ଜଣ ଗ୍ରାମୀଣ ଡାକ ସେବକଙ୍କୁ ଇତି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଡାକମେଳାରେ ସହକାରୀ ଡାକ ଅଧିକ୍ଷକ ସଞ୍ଜୟ ଦୋରା, ଡାକ ନିରୀକ୍ଷକ ଗଙ୍ଗା ନାରାୟଣ ମହାଳିକ, ଲିଙ୍ଗରାଜ ପ୍ରଧାନଙ୍କ ସମେତ ସମସ୍ତ ଡାକ କର୍ମଚାରୀ, ଶତାଧିକ ଜନସାଧାରଣ, ଡାକ ଗ୍ରାହକ ଏବଂ ପୋଷ୍ଟାଲ୍ ଏଜେଣ୍ଟ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଭରସିୟର ରଜନୀ ପାଢ଼ୀ ପରିଚାଳନା କରିଥିବା ବେଳେ ସହକାରୀ ଡାକ ଅଧୀକ୍ଷିକା ସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।