ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତ ପରଧିଆପାଲି ଗ୍ରାମରେ ଆଜି ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସଂକଳ୍ପର ସହାୟତାରେ ଲୋଇସିଂହା ପ୍ରାଣୀ ଚିକିତ୍ସା ବିଭାଗର ସହଯୋଗରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଏକ ସଚେତନତା ସଭା କ୍ରମେ ଗ୍ରାମବାସୀଙ୍କୁ ଗାଈ, ବଳଦ, ଛେଳି, ମେଣ୍ଢା ଓ କୁକୁଡ଼ାର ଯତ୍ନ ପ୍ରଣାଳୀ ଠାରୁ ଆରମ୍ଭ କରି ରୋଗ ନିରାକରଣ, ଉତ୍ପାଦ ବୃଦ୍ଧି ସମେତ ଏହା ଦ୍ୱାରା ଏହାର ଲାଭଜନକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହାସହ ଏହି ଅବସରରେ ୬୨ଟି ଗାଈ/ବଳଦ, ୧୧୦ଟି ଛେଳି/ମେଣ୍ଢା ଓ ୪୧ଟି କୁକୁଡ଼ାକୁ ଟୀକାକରଣ କରାଯାଇଥିଲା । ସେହିପରି ଗାଈମାନଙ୍କ ଗର୍ଭ ପରୀକ୍ଷା, ଛେଳି/ମେଣ୍ଢାଙ୍କ ବିଭିନ୍ନ ରୋଗ ନିରାକରଣ ସମେତ କୁକୁଡ଼ାଙ୍କ ରୋଗ ନିରାକରଣ ଉପରେ ଔଷଧ ଦିଆଯାଇଥିଲା । ଏଥିରେ ଲୋଇସିଂହା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରକାଶ ବେଉରା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ା. ସଂଗ୍ରାମ ସିଂ ନାଏକ ସହ ଲୋଇସିଂହା ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ସଂକଳ୍ପର ଶ୍ୟାମ ସୁନ୍ଦର ମେହେର ସଂଯୋଜନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ ।
Prev Post