ଗଞ୍ଜାମ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

• ଧାର୍ଯ୍ୟ ସମୟ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କ୍ଷୁଦ୍ର ଓ ଉଠା ଜଳସେଚନର ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ଇଆଇସି ତଥା ସ୍ୱତନ୍ତ୍ର ସଚିବ ମୁକୁଲ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ବର୍ତ୍ତମାନ ଖରିଫ୍ ଫସଲ ଶେଷ ହେବାକୁ ଯାଉଛି ଏବଂ ରବି ଫସଲ ଆରମ୍ଭ ହେବାକୁ ଯାଉଥିବାରୁ ଜଳସେଚନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି ଏବଂ ଏହା ଜୁନ୍ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଇଥିଲେ । ଛେଳିଗଡ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ କାର୍ଯ୍ର ସମ୍ପୂର୍ଣ୍ଣ ହୋଇଯାଇଛି ଏବଂ ଏହାର ଶାଖା କେନାଲ ଗୁଡିକର କାର୍ଯ୍ୟ ଜାନୁୟାରୀ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡିଛି । ହରଭଙ୍ଗୀ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ବନ୍ୟାଜଳ ସହଜରେ ନିଷ୍କାସନ ନିମନ୍ତେ ଟିପିସିରା ନାଳ ଓ ଦେବଭୂମି ହଜ୍‌ର ଉନ୍ନତିକରଣ କରାଯିବ । ଋଷିକୂଲ୍ୟା, ଧନେଇ, ଘୋଡାହାଡ, ବାହୁଦା ଆଦି ନଦୀ ଗୁଡିକ ଗ୍ରୀଷ୍ମକାଳରେ ସାଧାରଣତଃ ଅଳ୍ପ ମାତ୍ରାରେ ଜଳ ଥାଏ । ଜିଲ୍ଲାରେ ୧୦୮୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ଜିଲ୍ଲାର କୃଷକମାନେ ଭାରି ପରିଶ୍ରମୀ ଓ ସେମାନେ ସାଧାରଣତଃ ଫସଲ ଉତ୍ପାଦନ ପାଇଁ କ୍ଷୁଦ୍ର ଜଳସେଚନ ଉପରେ ନିର୍ଭର କରନ୍ତି । ଅଧିକାଂଶ ପ୍ରକଳ୍ପ ଗୁଡିକ ବହୁ ପୂରାତନ । ଏଗୁଡିକର ରକ୍ଷଣାବେକ୍ଷଣ ସହ ଜଳ ସଂରକ୍ଷଣ ଉପରେ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ୱଆରୋପ କରିଥିଲେ । ପ୍ରତ୍ୟେକ ପ୍ରକଳ୍ପରେ ୱାଟର ୟୁଜର୍ସ ଆସୋସିଏସନ୍ (ପାଣି ପଞ୍ଚାୟତ) ଗଠନ କରାଯାଇ କେନାଲ ଗୁଡିକର ରକ୍ଷଣାବେକ୍ଷଣ ତଦାରଖ କରାଯାଉଛି ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାର କ୍ଷୁଦ୍ର ଜଳସେଚନ ଯୋଜନାରେ ୧,୦୫,୨୬୨ ହେକ୍ଟର ଜମି ଜଳସେଚନ କରାଯାଉଥିବା ବେଳେ ପୁନଶ୍ଚ ୭୬୦ଟି ଚେକ୍ ଡ୍ୟାମ ଜରିଆରେ ୧୬,୩୦୦ ହେକ୍ଟର ଜଳସେଚନ କରାଯିବ । ବୈଠକରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡ୍ରେନେଜ୍ ବ୍ୟବସ୍ଥା, ଉଠା ଜଳସେଚନ, ଭୂତଳ ଜଳ ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ମୁଖ୍ୟଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ଇଂ. ଅଶ୍ୱିନୀ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ବିଭୁଦତ୍ତ ପଣ୍ଡା, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବଂଶଧାରା ନାଗାବଳୀ ଅବବାହିକା ପାରଳାଖେମୁଣ୍ଡି ନଗେନ୍ଦ୍ର ନାଥ ମହାରଣା, ଡ୍ରେନେଜ୍ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ଓ ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ, ଡ୍ରେନେଜ୍ ବିଭାଗ, ଉଠା ଜଳସେଚନ ବିଭାଗର ଯନ୍ତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କୀର୍ତ୍ତି ଭାସନ୍ ଭି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.