କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସମ୍ମିଳନୀ ଗୃହରେ ଆଜି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ, କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ, ବିଡିଓ ବିନୟ କୁମାର ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୬୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୨୫ଟି ଅଭିଯୋଗର ସମାଧାନ ତତ୍କ୍ଷଣାତ୍ କରାଯାଇଥିଲା । ମ. ରାମପୁର ବ୍ଲକର ଦୁଟା ଗ୍ରାମର ମୁରଲିଧର ସାହୁଙ୍କ ମା’ଙ୍କ ଉପରେ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହାୟତା ବାବଦକୁ ୧୦,୦୦୦ ଟଙ୍କା ଏବଂ ଗୌଡ କର୍ଲାଖୁଣ୍ଟା ଗ୍ରାମର ଗୋଲାପି ଭୋଇଙ୍କୁ ତାଙ୍କ ଝିଅର ଚିକିତ୍ସା ସହାୟତା ବାବଦକୁ ୧୦,୦୦୦ ଟଙ୍କା ରେଡକ୍ରସ୍ ପାଣ୍ଠିରୁ ଅନୁମୋଦନ କରାଯାଇଥିଲା ।
Next Post