ଜି-୨୦ ଜନଭାଗିଦାରୀ : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୈଷୟିକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି କିଟ୍ କ୍ୟାମ୍ପସରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ବାଙ୍ଗାଲୋର ସ୍ଥିତ ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଯୋଗ ଦେଇ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଏବଂ ସହଭାଗୀ କରିବା’’ ବିଷୟବସ୍ତୁ ଉପରେ ବୈଷୟିକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ । ସେ କମ୍ପ୍ୟୁଟର ପ୍ରଯୁକ୍ତିର ଯୁଗ, ବିଭିନ୍ନ ପ୍ରକାର ଉପକରଣ, ସଫ୍ଟ କମ୍ପ୍ୟୁଟିଂ ପାଇଁ ସଫ୍ଟୱେର, ଆଧୁନିକ ଅଧ୍ୟୟନ ପ୍ରଯୁକ୍ତି, ସହଭାଗୀ ପ୍ରକଳ୍ପ, ପାୱାର ସିଷ୍ଟମ ପ୍ରୟୋଗ, ବିଭିନ୍ନ ପ୍ରକାର ସମସ୍ୟା, ସବୁଜ ହାଇଡ୍ରୋଜେନ ଏବଂ ବିଭିନ୍ନ ଅଧ୍ୟୟନ ପ୍ରଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ମୋଟ୍ ୯୨ ଜଣ ଇଞ୍ଜିନିୟରିଂ ସ୍ନାତକ ଓ ସ୍ନାତକୋତ୍ତୋର ଛାତ୍ରଛାତ୍ରୀ, ଗବେଷକ, ପ୍ରୟୋଗଶାଳା ବୈଷୟିକ ସହାୟକ ଏବଂ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ ।

ଅନ୍ୟପକ୍ଷରେ କନ୍ଧମାଳ ସ୍ଥିତ ସରକାରୀ ପଲିଟେକ୍ନିକ ଠାରେ କିଟ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏକ ପଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଜି-୨୦ ଏବଂ ଭାରତର ଭୂମିକା’ ଶୀର୍ଷକ ଏହି ପ୍ରତିଯୋଗିତାରେ ୫୨ ଜଣ ପଲିଟେକ୍ନିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!