ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳ ହିଁ ଜୀବନ ଏହା ସମସ୍ତେ ଜାଣିଛନ୍ତି । ବୈଜ୍ଞାନିକଙ୍କ ମତ ଅନୁସାରେ ଭବିଷ୍ୟତରେ ଜଳଶଙ୍କଟ ହେବାର ଆଶଙ୍କା ଶତ ପ୍ରତିଶତ ରହିଛି । ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ଜଳ ସ୍ତର ବୃଦ୍ଧି, ଜଳ ସଂରକ୍ଷଣ ନିମନ୍ତେ ଅନେକ ପ୍ରୟାସ ଜାରି ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଜୀବନ ଜୀବିକାର ଉନ୍ନତି, ବନୀକରଣ, ମୃତ୍ତିକା ସଂରକ୍ଷଣ ନିମନ୍ତେ ଅନେକ କାର୍ଯ୍ୟକ୍ରମ ବେସରକାରୀ ସଂସ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରୁଅଛି । ଏସବୁ ଆହୁରି କେମିତି ଭଲ ଭାବରେ କାର୍ଯ୍ୟକାରୀ ହୋଇପାରିବ ତାକୁ ଆଖି ଆଗରେ ରଖି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବରେ ନାବାର୍ଡ ସହାୟତାରେ ତିନି ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା, ବୌଦ୍ଧ ଓ ସୁବର୍ଣ୍ଣପୁରରୁ ପ୍ରାୟ ୧୩ ଗୋଟି ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନାବାର୍ଡ ବରଗଡ଼ ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା, ସମ୍ମାନିତ ଅତିଥି ଭାବେ ବରଗଡ଼ ଲିଡ ବ୍ୟାଙ୍କ୍ ମ୍ୟାନେଜର ମହେଶ୍ୱର ସାହୁ, ଦେବଦତ୍ତ କ୍ଲବ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ନାବାର୍ଡ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱରର ଶଶାଙ୍କ ଶେଖର ପାଣିଗ୍ରାହୀ, ଆକାଶଦୀପ କୁଜୁର ଯୋଗ ଦେଇଥିଲେ । ଏହି ଅବସରରେ ସୁଦୂର ହାଇଦ୍ରାବାଦରୁ ଆସିଥିବା ଏଲ୍.ସରିଫ, ଏମ.ତିରୁପତି, ଆନନ୍ଦ.କେ ଜଳ ବିଭାଜିକାର ଲକ୍ଷ, ଉଦ୍ଧେଶ୍ୟ, କାର୍ଯ୍ୟକାରିତା, ମାପ, ରକ୍ଷଣାବେକ୍ଷଣ ତଥା କାର୍ଯ୍ୟ କରିବାର ପ୍ରଣାଳୀ ଉପରେ ତିନି ଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବଦତ୍ତ କ୍ଲବର ସମ୍ପାଦକ କାହ୍ନୁ ଚରଣ ମାଝି ପରିଚାଳନା କରିଥିଲେ ।