om academy

ଚଣ୍ଡିଭଟା ଠାରେ ଗଣ୍ଡାବଜା କଳାକାରଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର କଳା ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ନିଆରା । ଓଡିଶାର ଲୋକକଳା, ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ଢଗଢମାଳି ସାରା ମଣିଷ ସମାଜକୁ ମନୋରଞ୍ଜନ ଦେବା ପୂର୍ବକ କଳା ସଂସ୍କୃତି କ୍ଷେତ୍ରରେ ଓଡିଶା ମାଟିର ପରିଚୟକୁ ଦ୍ବିଗୁଣିତ କରିଛି । ଏଥିମଧ୍ୟରେ ପଶ୍ଚିମ ଓଡିଶାର ଲୋକକଳା, ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟ ଏକ ସ୍ବତନ୍ତ୍ର ଯଥା – ଗଣ୍ଡାବଜା, ଘୁଡୁକା, ଢାପ୍, କରମସାନୀ, ସଂଚାର, ପାଲା, ଦଣ୍ଡନୃତ୍ୟ, ଡାଲଖାଇ, ରସରକେଲି, ମାଏଲାଜଡ, ଚୁଟ୍‌କୁଚୁଟା, ହଳିଆ ଗୀତ, ହୁମୋବଉଲି, ସଜନୀ ଗୀତ, ଦୁଲି ଗୀତ, ଗଉରବାଡି ଏସବୁକୁ ଉଜ୍ଜୀବିତ କରି ଗୋଟିଏ କଳାକାର ହିଁ ବଞ୍ଚାଇ ରଖିଥାଏ । ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ କଳା ସଂସ୍କୃତିକୁ ନିଶା ଓ ପେଶା ରୂପେ ଆଦରି ନେଇ ନିଜ ପରିବାର ପୋଷଣ କରୁଥିବା କଳାକାରମାନଙ୍କ ପାଇଁ ସରକାର ନିର୍ଦ୍ଧିଷ୍ଟ ଭାବରେ କଳାକାରଙ୍କର ଆର୍ଥିକ ସ୍ଥିତି ସୁଧୁରିବା ଭଳି ଯୋଜନା କରୁନାହାନ୍ତି । ବର୍ତ୍ତମାନ ସମସ୍ତ କଳାକାର ତଥା ଗଣ୍ଡାବଜା କଳାକାର ବଜନିଆଁ ମାନେ କରୋନା କଟକଣାରେ ବାଟବଣା ହୋଇ ହାତବାନ୍ଧି ବସିଛନ୍ତି । କଳା ସଂସ୍କୃତି ଓ କଳାକାରମାନଙ୍କ କୃତି ଓ କୃତିତ୍ବକୁ ନିଜସ୍ବ ଉଦ୍ୟମରେ ଲୋକ ଲୋଚନକୁ ଆଣୁଥିବା ମଧୁମୟ କଳା ସଙ୍ଗଠନର କର୍ମକର୍ତ୍ତା ନେତୃ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଗତକାଲି ଚଣ୍ଡିଭଟା ଗ୍ରାମ ପଞ୍ଚାୟତ ଏବଂ ଲଉଡିଦର୍ହା ଗ୍ରାମ ପଞ୍ଚାୟତର ସମସ୍ତ ଗଣ୍ଡାବଜା କଳାକାର ବଜନିଆଁଙ୍କୁ ନେଇ, ଗଣ୍ଡାବଜା କଳାକାର ବଜନିଆଁ ମାନଙ୍କ ହକ୍ ଅଧିକାର ପାଇଁ ଚଣ୍ଡିଭଟା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମଧୁମୟ କଳା ସଙ୍ଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ସଭାକାର୍ୟ୍ୟ ଆରମ୍ଭ ହୋଇ କଳାକାର ମାନଙ୍କର ଚିହ୍ନଟ ପ୍ରସଙ୍ଗ, କଳାକାର ଭତ୍ତା, କଳାକାରଙ୍କ ସ୍ବାସ୍ଥ୍ୟବୀମା, କଳାକାରଙ୍କୁ ଘର ପ୍ରଦାନ ଏବଂ କଳାକାରଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା ପ୍ରସଙ୍ଗରେ ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ବାଗ ଆଲୋଚନା ପୂର୍ବକ ଉପସ୍ଥିତ କଳାକାର ମାନଙ୍କର ମତାମତ ବୁଝିଥିଲେ ।

ଏହି ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଝାରବନ୍ଧ ବ୍ଲକର କାର୍ୟ୍ୟକାରୀ ସଭାପତି ଭୋଜରାଜ ବାଗ ମୂଖ୍ୟ ଅତିଥି ରୂପେ ଯୋଗଦେଇ କଳାକାରଙ୍କୁ ଉଚିତ୍ ସମ୍ମାନ ଓ ଉଚିତ୍ ପାଉଣା ବିଷୟରେ ପଙ୍ଖାନୁପଙ୍ଖ ଭାବରେ ଅଭିଭାଷଣ ରଖିଥିବା ବେଳେ କଳାକାରଙ୍କୁ ଆଗାମୀ ଦିନରେ ସରକାରୀ ସ୍ତରରେ ଚିହ୍ନଟ, ସମସ୍ତ ପ୍ରଚାର ପ୍ରସାର କଳାକାର ମାନଙ୍କ ମାଧ୍ୟମରେ କରିବା, କଳାକାର ମାନଙ୍କ ପାଇଁ ଆସୁଥିବା ଯୋଜନା ତଥା ସରକାରୀ ସୁବିଧା ସୁଯୋଗ ଏବଂ ଆର୍ଥିକ ସହାୟତା କଳାକାରଙ୍କୁ ପ୍ରଦାନ କ୍ଷେତ୍ରରେ ପ୍ରଶାସନିକ ଅବହେଳା ଏବଂ ଦଲାଲି ନୀତି ଯୋଗୁଁ ଉଚିତ୍ କଳାକାର ମାନେ ନିଜ ହକ୍ ଅଧିକାର ପାଇବାରେ ବଞ୍ଚିତ ହେଉଛନ୍ତି, ଏହାକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଆ ଭାଷା ଓ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାର, ସଂସ୍କୃତି ସଚିବ, କଳାକାର ମାନଙ୍କ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଉଚିତ୍ କଳାକାର ସବୁ ସୁବିଧା ସୁଯୋଗ ପାଇବା ସଙ୍ଗେ ସଙ୍ଗେ କଳା ସଂସ୍କୃତି କ୍ଷେତ୍ରରେ ଓଡିଶାର ଗର୍ବ ଓ ଗୌରବ ଦ୍ବିଗୁଣିତ ହେବ ବୋଲି ଅଭିଭାଷଣ ରଖିଛନ୍ତି। ସମ୍ମାନିତ ଅତିଥି ଭାବେ ଅକ୍ଷୟ ବାଗ ଯୋଗ ଦାନ କରି କଳାକାର ମାନଙ୍କର ସମସ୍ୟା ବବିଷୟରେ ଅଭିଭାଷଣ ରଖିଥିଲେ । ସେହିପରି ଝାରବନ୍ଧ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ସଂଯୋଜକ ଏବଂ କଳାକାରମାନେ ନିଜର ମତାମତ ଦେଇ କହିଥିଲେ ଯେ, କଳାକାରଙ୍କର ଉଚିତ୍ ପାଉଣା ଏବଂ ସରକାରୀ ସ୍ତରରେ ସୁବ୍ୟବସ୍ଥା ନକଲେ ୫୦ ଗୋଟି ଗଣ୍ଡାବଜା ପାର୍ଟିର ବଜନିଆଁ କଳାକାରଙ୍କୁ ନେଇ ଏହି ଝାରବନ୍ଧରୁ ହିଁ ସାଂସ୍କୃତିକ ଆନ୍ଦୋଳନ ଆରମ୍ଭ ହୋଇ ସାରା ଓଡିଶାକୁ ଆନ୍ଦୋଳନର ସ୍ବର ପହଞ୍ଚାଇ ଓଡିଶା ସରକାରଙ୍କ ପାଖରେ ଦାବୀ ରଖିବା ପାଇଁ ସମସ୍ତେ ନିଜର ମତାମତ ରଖିଥିଲେ । କାର୍ୟ୍ୟକ୍ରମକୁ ସଙ୍ଗଠନର ଯୁବ ସଂଚାର ବାୟକ ହର୍ଷବର୍ଦ୍ଧନ ଲୁହାର ଏବଂ କଳାକାର ବୃନ୍ଦାବନ ତାଣ୍ଡି ସଂଯୋଜନା କରିଥିବା ବେଲେ ବୈଠକରେ ଯୋଗଦାନ କରିଥିବା ଚଣ୍ଡିଭଟା ଗ୍ରାମ ପଞ୍ଚାୟତ ଏବଂ ଲଉଡିଦର୍ହା ଗ୍ରାମ ପଞ୍ଚାୟତର କଳାକାରମାନଙ୍କର ସର୍ବ ସମ୍ମତି କ୍ରମେ ପ୍ରତ୍ୟେକ ପଞ୍ଚାୟତରେ ଦୁଇଜଣ କଳାକାରଙ୍କୁ ମଧୁମୟ କଳା ସଙ୍ଗଠନ ତରଫରୁ ପଞ୍ଚାୟତ ସଂଯୋଜକ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ଶେଷରେ ଲଉଡିଦର୍ହା ର ଗଣ୍ଡାବଜା କଳାକାରଙ୍କ ଦ୍ବାରା କଳା ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.