ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର : ଇସିଏମଏସ ଅଧୀନରେ ୫,୫୩୨ କୋଟି ଟଙ୍କାର ନିବେଶ ସହିତ ପ୍ରଥମ ୭ଟି ପ୍ରକଳ୍ପକୁ ଅନୁମୋଦନ

• ମୁଖ୍ୟାଂଶ
• ମୋଟ୍ ୫୫୩୨ କୋଟି ଟଙ୍କାର ନିବେଶ ସହିତ ଇସିଏମଏସ ଅଧୀନରେ ପ୍ରଥମ ୭ଟି ପ୍ରକଳ୍ପକୁ ମଞ୍ଜୁରି
• ପ୍ରକଳ୍ପଗୁଡ଼ିକ ୪୪,୪୦୬ କୋଟି ଟଙ୍କାର ଉତ୍ପାଦନ ଏବଂ ୫,୧୯୫ ନିଯୁକ୍ତି ସୃଷ୍ଟି କରିବ
• ଇସିଏମଏସ ନିବେଶ ପ୍ରତିଶ୍ରୁତି ୧.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଲକ୍ଷ୍ୟର ଦୁଇଗୁଣ
• ୨୦୨୪-୨୫ ଆର୍ଥିକ ବର୍ଷରେ ଇଲେକ୍ଟ୍ରୋନିକ୍ସ ଭାରତର ତୃତୀୟ ସର୍ବବୃହତ ରପ୍ତାନି ବର୍ଗ ପାଲଟିଛି

ନୂଆଦିଲ୍ଲୀ, (ପିଆଇବି) : ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ)ରେ ୫,୫୩୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି । ଏହି ଯୋଜନାରେ ମଞ୍ଜୁର ହୋଇଥିବା ପ୍ରଥମ ୭ଟି ପ୍ରକଳ୍ପ ୪୪,୪୦୬ କୋଟି ଟଙ୍କାର ଉତ୍ପାଦନ ଏବଂ ୫,୦୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏସବୁ ପ୍ରକଳ୍ପ ଭାରତର ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳାକୁ ଗଭୀର କରିବ । ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଅସାଧାରଣ ଅଭିବୃଦ୍ଧି ହାସଲ କରିଛି ତଥା ୨୦୨୪-୨୫ରେ ତୃତୀୟ ବୃହତ୍ତମ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ରପ୍ତାନି ବର୍ଗ ଭାବରେ ଉଭା ହୋଇଛି । ୨୨,୯୧୯ କୋଟି ଟଙ୍କା ବ୍ୟୟବରାଦ ସହିତ ୮ ଏପ୍ରିଲ ୨୦୨୫ରେ ଇସିଏମଏସ ଯୋଜନାର ଶୁଭାରମ୍ଭ କରାଯାଇଥି । ଏହାର ଅବଧି ୬ ବର୍ଷ ଏବଂ ଗୋଟିଏ ବର୍ଷର ଅତିରିକ୍ତ ବିକଳ୍ପ ଅବଧି ମଧ୍ୟ ରହିଛି । ଇସିଏମଏସ ଦେଶ ମଧ୍ୟରେ ଅତ୍ୟାବଶ୍ୟକ ଉପାଦାନ, ସବ-ଆସେମ୍ବଲି ଏବଂ କଞ୍ଚାମାଲର ଉତ୍ପାଦନକୁ ଉତ୍ସାହିତ କରି ଭାରତର ଇଲେକ୍ଟ୍ରୋନିକ୍ ଶିଳ୍ପକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳା ସହିତ ସମନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି । ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା, ଏହି ଯୋଜନା ଅଧୀନରେ ନିବେଶ ପ୍ରତିଶ୍ରୁତି ୧,୧୫,୩୫୧ କୋଟି ଟଙ୍କା ରହିଛି, ଯାହା ମୂଳ ଲକ୍ଷ୍ୟ ୫୯,୩୫୦ ଟଙ୍କା କୋଟିର ପ୍ରାୟ ଦୁଇଗୁଣ । ଆଗାମୀ ଛଅ ବର୍ଷ ମଧ୍ୟରେ ୧୦,୩୪,୭୫୧ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ସୃଷ୍ଟି ହେବାର ଆଶା କରାଯାଉଛି, ଯାହା ପ୍ରାରମ୍ଭିକ ଆକଳନ ଅପେକ୍ଷା ୨.୨ ଗୁଣ ଅଧିକ । ପ୍ରୋତ୍ସାହନ ଖର୍ଚ୍ଚ ୪୧,୪୬୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ମୂଳ ଆକଳନ ₹୨୨,୮୦୫ କୋଟିର ପ୍ରାୟ ୧.୮ ଗୁଣ । ଏହି ଯୋଜନାରେ ୧,୪୧,୮୦୧ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ, ଯାହା ୯୧,୬୦୦ ଲକ୍ଷ୍ୟକୁ ଅତିକ୍ରମ କରିବ ଏବଂ ବହୁ ସଂଖ୍ୟକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ଆଶା କରାଯାଉଛି । ଇସିଏମଏସ ଯୋଜନାରେ ସ୍ମାର୍ଟଫୋନ୍, ଅଟୋମୋବାଇଲ, ମେଡ଼ିକାଲ ଉପକରଣ, ଦୂରସଞ୍ଚାର ଏବଂ ଶିଳ୍ପ ସିଷ୍ଟମରେ ବ୍ୟବହୃତ ଉପକରଣର ବହୁ ପରିମାଣରେ ବ୍ୟବହାର କରାଯିବ । କ୍ୟମେରା ମଡ୍ୟୁଲ୍ ସବ୍ ଆସେମ୍ବ୍ଲି, ମଲ୍ଟିଲେୟାର ପିସିବି, ଏଡିଆଇ ପିସିବି, କପର୍ କ୍ଲାଡ୍ ଲାମିନେଟ, ପଲିପ୍ରୋପାଇଲିଜ୍ ଫିଲ୍ମ ଆଦି ଉପକରଣ ଏହି ଯୋଜନା ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ନିର୍ମାଣ କରାଯିବ । ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଇଲେକ୍ଟ୍ରୋନିକ୍ସ ଭାରତର ତୃତୀୟ ସର୍ବବୃହତ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ରପ୍ତାନୀ କ୍ଷେତ୍ର ଭାବେ ୨୦୨୪-୨୫ ରେ ଉଭା ହୋଇଛି, ଯାହା ୨୦୨୧-୨୨ରେ ସପ୍ତମ ସ୍ଥାନରୁ ଉଠିଛି । ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମାର୍ଦ୍ଧରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ୨୨.୨ କୋଟି ଆମେରିକୀୟ ଡଲାର ଥିଲା । ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪-୧୫ରେ ୧.୯ ଲକ୍ଷ କୋଟି ଟଙ୍କାରୁ ୨୦୨୪-୨୫ରେ ୧୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଛଅ ଗୁଣ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରପ୍ତାନୀ ୩୮,୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୩.୨୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଆଠ ଗୁଣ ବୃଦ୍ଧି ଦର୍ଶାଉଛି । ବିଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସମଗ୍ର ଦେଶରେ ପ୍ରାୟ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । ଏହି ପରିବର୍ତ୍ତନରେ ମୋବାଇଲ ଉତ୍ପାଦନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ଷେତ୍ରରେ ଉତ୍ପାଦନ ୨୦୧୪–୧୫ରେ ୧୮,୦୦୦ କୋଟି ଟଙ୍କାରୁ ୨୮ ଗୁଣ ବୃଦ୍ଧି ପାଇ ୨୦୨୪–୨୫ରେ ୫.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୪ ରେ ମାତ୍ର ଦୁଇଟି ମୋବାଇଲ ନିର୍ମାଣକାରୀ ୟୁନିଟ୍ ତୁଳନାରେ ବର୍ତ୍ତମାନ ୩୦୦ରୁ ଅଧିକ ୟୁନିଟ୍ କାର୍ଯ୍ୟକ୍ଷମ ହେବା ସହିତ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ ହୋଇପାରିଛି । ମୋବାଇଲ୍ ଫୋନ୍ ରପ୍ତାନୀରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ଦେଖାଇଛି, ଯାହା ୨୦୧୪-୧୫ରେ ୧,୫୦୦ କୋଟି ଟଙ୍କାରୁ ୧୨୭ ଗୁଣ ବୃଦ୍ଧି ପାଇ ୨୦୨୪-୨୫ରେ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୪ରେ, ଆପଲ୍ ଏକାକୀ ₹ ୧,୧୦,୯୮୯ କୋଟି ମୂଲ୍ୟର ଆଇଫୋନ୍ ରପ୍ତାନି କରିଥିଲା, ଯାହା ବର୍ଷକୁ ୪୨ ପ୍ରତିଶତ ଅଭିବୃଦ୍ଧି ସହିତ ₹୧ ଲକ୍ଷ କୋଟି ମାର୍କ ଅତିକ୍ରମ କରିଥିଲା । ୨୦୨୫-୨୬ର ପ୍ରଥମ ପାଞ୍ଚ ମାସରେ, ସ୍ମାର୍ଟଫୋନ୍ ରପ୍ତାନୀ ୧ ଲକ୍ଷ କୋଟି ଟଙ୍କା ଛୁଇଁଥିଲା, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ୫୫ ପ୍ରତିଶତ ବୃଦ୍ଧି ରେକର୍ଡ କରିଥିଲା । ଏହି ପ୍ରୟାସ ଜାରି ରହିଥିବା ବେଳେ ବିଶ୍ୱର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ହେବା ଦିଗରେ ଦେଶର ଲକ୍ଷ୍ୟ ଦ୍ରୁତ ଗତିରେ ବାସ୍ତବ ରୂପ ନେଉଛି ।

Leave A Reply

Your email address will not be published.