ଆଜି ରଥ ନିର୍ମାଣ ଅନୁକୂଳ

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା‌ । ପରମ୍ପରା ଅନୁଯାୟୀ ଏହିଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି । ତିନିରଥ ପାଇଁ ତିନି କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି । ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ । ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ । ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କ ତିନି ଆଜ୍ଞାମାଳ ବିଜେ ପରେ ଛାମୁଡ଼ିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି ହେବ । ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ରଥ କାଠକୁ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହେବେ । ସେହି ଅନୁଯାୟୀ ଶାଢ଼ି ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ।

ରଥ ସଂହିତା ଅନୁଯାୟୀ ସରସ୍ୱତୀ ପୂଜାରେ ରଥ କାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥ ନିର୍ମାଣ କାମ ଆରମ୍ଭ ହେବ । ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ । ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବ । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ପରେ ବଡ଼ଦାଣ୍ଡରେ ରଥ ଗଡ଼ିବ ।

Leave A Reply

Your email address will not be published.