centurian jitm

ଉତ୍ତରପ୍ରଦେଶରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ କ୍ୟାବିନେଟ୍ ଅନୁମୋଦନ
ସେମିକଣ୍ଡକ୍ଚର ମିସନ : ନିରନ୍ତର ଅଗ୍ରଗତି

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧିନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ଏବେ ଦେଶରେ ୫ଟି ସେମିକଣ୍ଡକ୍ଟର ୟୁନିଟର ନିର୍ମାଣ କାର୍ଯ୍ୟ ଅଗ୍ରଣୀସ୍ତରରେ ଜାରି ରହିଛି । ଏହି ୬ଷ୍ଠ ୟୁନିଟ୍ ସହ ଭାରତ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ଦିଗରେ ଆହୁରି ଅଗ୍ରଗତି ହାସଲ କରିଛି । ଆଜି ଅନୁମୋଦିତ ୟୁନିଟ୍ ହେଉଛି ଏଚସିଏଲ୍ ଏବଂ ଫକ୍ସନକର ଏକ ଯୌଥ ଉଦ୍ୟୋଗ । ଏଚସିଏଲର ହାର୍ଡୱେୟାର ବିକାଶ ଏବଂ ଉତ୍ପାଦନର ଏକ ଦୀର୍ଘ ଇତିହାସ ରହିଛି । ଫକ୍ସକନ୍ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ବିଶ୍ୱର ଏକ ଅଗ୍ରଣୀ କମ୍ପାନି । ଉଭୟ କମ୍ପାନି ମିଶି ଜେୱାର ବିମାନବନ୍ଦର ନିକଟରେ ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ବା ୱାଇଇଆଇଡିଏରେ ଏକ କାରଖାନା ସ୍ଥାପନ କରିବେ । ଏହି ପ୍ଲାଣ୍ଟ ମୋବାଇଲ୍ ଫୋନ୍, ଲାପଟପ୍, ଅଟୋମୋବାଇଲ୍, ପିସି ଏବଂ ଡିସପ୍ଲେ ଥିବା ଅନ୍ୟାନ୍ୟ ଅନେକ ଡିଭାଇସ୍ ପାଇଁ ଡିସପ୍ଲେ ଡ୍ରାଇଭର୍ ଚିପ୍ସ ଉତ୍ପାଦନ କରିବ । ଏହି ପ୍ଲାଣ୍ଟଟି ପ୍ରତି ମାସରେ ୨୦,୦୦୦ ୱେଫର ପାଇଁ ଡିଜାଇନ୍ କରାଯାଇଛି । ଡିଜାଇନ୍ ଆଉଟପୁଟ୍ କ୍ଷମତା ପ୍ରତି ମାସରେ ୩୬ ନିୟୁତ ୟୁନିଟ୍ ରହିବ ।ସାରା ଦେଶରେ ଏବେ ସେମିକଣ୍ଡକ୍ଟର ଶିଳ୍ପ ସାକାର ରୂପ ନେଉଛି । ଦେଶର ଅନେକ ରାଜ୍ୟରେ ବିଶ୍ୱସ୍ତରୀୟ ଡିଜାଇନ୍ କେନ୍ଦ୍ର ସ୍ଥାପନ ହୋଇଛି । ଏଥିଲାଗି ରାଜ୍ୟ ସରକାରଗୁଡ଼ିକ ଡିଜାଇନ୍ କମ୍ପାନୀଗୁଡ଼ିକୁ ଜୋରଦାର ପ୍ରୋତ୍ସାହିତ କରୁଛନ୍ତି । ୨୭୦ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ୭୦ଟି ଷ୍ଟାର୍ଟଅପ୍ର ଉଦ୍ୟୋଗୀମାନେ ନୂତନ ଉତ୍ପାଦ ବିକଶିତ କରିବା ପାଇଁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଡିଜାଇନ୍ କୌଶଳ ଉପରେ କାମ କରୁଛନ୍ତି । ଏହି ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ବିକଶିତ ୨୦ଟି ଉତ୍ପାଦକୁ ଏସସିଏଲ୍ ମୋହାଲି ଦ୍ୱାରା ବ୍ୟବହାର କରାଯାଇଛି । ଆଜି ଅନୁମୋଦିତ ନୂତନ ସେମିକଣ୍ଡକ୍ଟର ୟୁନିଟ୍ ୩୭୦୦ କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ । ଦେଶ ଏହାର ସେମିକଣ୍ଡକ୍ଟର ଯାତ୍ରାରେ ଆଗକୁ ବଢ଼ିବା ସହିତ, ଏହି ଇକୋସିଷ୍ଟମର ପାର୍ଟନରମାନେ ମଧ୍ୟ ଭାରତରେ ସେମାନଙ୍କର କାରଖାନା ସ୍ଥାପନ କରିଛନ୍ତି । ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଏବଂ ଲାମ୍ ରିସର୍ଚ୍ଚ ଦୁଇଟି ବୃହତ୍ତମ ଡିଭାଇସ୍ ନିର୍ମାତା । ଉଭୟଙ୍କର ଏବେ ଭାରତରେ ଉପସ୍ଥିତି ଅଛି । ମର୍କ, ଲିଣ୍ଡେ, ଏୟାର ଲିକ୍ୱିଡ୍, ଆଇନକ୍ସ ଏବଂ ଅନ୍ୟାନ୍ୟ ଅନେକ ଗ୍ୟାସ୍ ଏବଂ ରାସାୟନିକ ଯୋଗାଣକାରୀ ଆମର ସେମିକଣ୍ଡକ୍ଟର ଶିଳ୍ପର ଅଭିବୃଦ୍ଧି ପାଇଁ ପ୍ରସ୍ତୁତି କରୁଛନ୍ତି । ଭାରତରେ ଲାପଟପ୍, ମୋବାଇଲ୍ ଫୋନ୍, ସର୍ଭର, ଚିକିତ୍ସା ଉପକରଣ, ପାୱାର ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଉପକରଣ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ସହ ସେମିକଣ୍ଡକ୍ଟରର ଚାହିଦା ବଢିଚାଲିଛି । ଏହି ନୂତନ ୟୁନିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ଆହୁରି ସାକାର କରିବ ।

Leave A Reply

Your email address will not be published.