ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ସରକାର କହିଛନ୍ତି ଡିସେମ୍ବର ୩୧ ତାରିଖ ସୁଦ୍ଧା ଦାବୀଗୁଡିକର ସମୀକ୍ଷା କରି ପଦକ୍ଷେପ ନିଆଯିବ । ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ମହାସଂଘର ସଦସ୍ୟଙ୍କ ସହ ଆଲୋଚନା ସମୟରେ ସମବାୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ, ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମେତ କମିଶନର ତଥା ପଞ୍ଚାୟତିରାଜ ଶାସନ ସଚିବ ଉପସ୍ଥିତ ରହି ଏହି ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସ୍ଥାୟୀ ସମାଧାନ ହେବ ବୋଲି ଆଶା ରଖିଛି ମହାସଂଘ । ଦୀର୍ଘ ଦିନ ହେବ ୧୫ ଦଫା ଦାବୀ ପୂରଣ ପାଇଁ ଲୋୟର ପିଏମ୍‌ଜିରେ ଗତ ୨୩ ତାରିଖଠାରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ସରପଞ୍ଚ ସଂଘ । ଏଥିରେ ସମିତି ସଭ୍ୟ/ସଭ୍ୟା ମଧ୍ୟ ନିଜର ଭିନ୍ନ ଦାବୀ ନେଇ ଆନ୍ଦୋଳନ ଚଲାଇଛନ୍ତି । ସରପଞ୍ଚ ଓ ସମିତି ସଭ୍ୟ ପ୍ରତିନିଧି ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର ଉଭୟଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରିଛନ୍ତି । ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧା ତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଓ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ସମୟରେ ୧୦ ପର୍ଯ୍ୟାୟ ଆଲୋଚନା ପରେ ସରକାର ସକରାତ୍ମକ ମନୋଭାବ ରଖି ସରପଞ୍ଚ ମହାସଂଘର ପ୍ରତିନିଧି ଦଳ ସହ ସରକାର କିଛି ଦାବୀ ପୂରଣ କରିବା ନେଇ ପ୍ରତିଶୃତି ଦେବା ପରେ ୧ ମାସ ପର୍ଯ୍ୟନ୍ତ ସରପଞ୍ଚ ସଂଘ ଆନ୍ଦୋଳନ ସ୍ତଗିତ ରଖିଛି ଓ ଏକ ମାସ ମଧ୍ୟରେ ଦାବୀଗୁଡିକ ପୂରଣ ନହେଲେ ପୁଣି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘର ରାଜ୍ୟ ସଭାପତି ରୋମାଞ୍ଚ ସାହୁ ଓ ସମ୍ପାଦକ ତପନ କୁମାର ସ୍ୱାଇଁ କହିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଗ୍ରାମ ପ୍ରଧାନ/ ସରପଞ୍ଚ ସଂଗଠନ ମଧ୍ୟ ସରପଞ୍ଚମାନଙ୍କ ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ ଦେଇ ଆସିଛି । ସରକାର ନିଜ ପ୍ରତିଶୃତି ପାଳନ ନକଲେ ସଂଗଠନ ସରପଞ୍ଚମାନଙ୍କ ନ୍ୟାୟ ପାଇଁ ବିକଳ୍ପ ବାଟରେ ଯିବାକୁ ବାଧ୍ୟ ହେବ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ କହିଛନ୍ତି ।

Leave A Reply

Your email address will not be published.