ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୦ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହରର ପରିଚିତ ସମାଜସେବୀ ତଥା ରାଜନେତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବରେ କେ.ବି.କେ “ପ୍ରମେୟ” ଖବର କାଗଜର ପ୍ରକାଶକ ଅଖିଳ ହୋତା ଯୋଗଦେଇ ମଣିଷ ଜୀବନରେ ଶିକ୍ଷାର ମହତ୍ତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସ୍କୁଲର ଅଧ୍ୟକ୍ଷ ସତିଶ କୁମାର ପଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ସଂପାଦକ ଗୋପାଳ କୃଷ୍ଣ ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ, ସଭ୍ୟ ବାଦଲ ମହାକୁର, ଶିରିଶ ଚନ୍ଦ୍ର ହୋତା ଓ ସଞ୍ଜିବ ସାହୁ ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ଓ ରିକୀ ପୁରୋହିତ ସଭା ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଯେଉଁମାନେ ଡାକ୍ତର ଓ ଅଧ୍ୟାପକ ହୋଇସାରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ଶିକ୍ଷାବର୍ଷ ୨୦୨୪ ପାଇଁ ବିଦ୍ୟାଳୟର ଛାତ୍ରୀ ଅନ୍ୱେଷା ପ୍ରିୟଦର୍ଶନୀ ମାଝୀଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଉପାଧ୍ୟକ୍ଷ ଦୀପକ ବରାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା ।