- ଶିକ୍ଷା ପାଠ୍ୟପୁସ୍ତକରେ ସୀମିତ ନୁହେଁ : ନିରଞ୍ଜନ ବିଶି
ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା, ଉନ୍ନତ ଶିକ୍ଷା, ଦକ୍ଷତା ବୃଦ୍ଧି ଶିକ୍ଷା, ବୃତ୍ତିଗତ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ଭବିଷ୍ୟତ ନିଜେ ଚୟନ କରିବା ଆବଶ୍ୟକ । ବହୁତ ବଡ଼ ଗର୍ବର କଥା ଯେ, ବଲାଙ୍ଗିରରେ ଜେଏସ୍ଏମ୍ କଲେଜ୍ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକମାନର ଶିକ୍ଷାଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସେହି ସୁଯୋଗ ପ୍ରଦାନ କରୁଛି । ଏହି ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଦେଶର ଜଣେ ଜଣେ ସୁନାଗରିକ ହୁଅନ୍ତୁ । ଭାରତୀୟ ପ୍ରଶାସନିକ ସେବା ଭଳିଆ କ୍ଷେତ୍ରରେ ଉତ୍ତୀର୍ଣ୍ଣ ହୋଇ ଦେଶ ସେବା କରନ୍ତୁ ବୋଲି ଉପଦେଶ ଦେଇଛନ୍ତି ବଲାଙ୍ଗିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜେଏସ୍ଏମ୍ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଛନ୍ତି । ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜେଏସ୍ଏମ୍ କଲେଜର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲେଜ୍ର ଡାଇରେକ୍ଟର ଶ୍ରୀକାନ୍ତ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୁର୍ଲା ଭୀମସାର୍ର ପ୍ରଫେସର ଡଃ. ବେଣୁଧର ପାଣ୍ଡେ, ମୁଖ୍ୟବକ୍ତା ଭାବରେ ସୁଶାନ୍ତ ପଣ୍ଡା, ପୀତବାସ ପଣ୍ଡା ଓ କଲେଜର ଅଧ୍ୟକ୍ଷ ମନସ୍ମିତା ମିଶ୍ର ମଞ୍ଚାସୀନ ଥିଲେ । ପୂଜା କାର୍ଯ୍ୟ ପରେ ସଭା ପ୍ରାରମ୍ଭ କରାଯାଇଥିଲା । ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସଭାରେ କଲେଜ୍ କର୍ତ୍ତୃପକ୍ଷ ତରଫରୁ ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ଏହା ପରେ ଅତିଥିମାନେ ତାଙ୍କର ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଗଠନ ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ନିରଞ୍ଜନ ବିଶି ସଭାରେ ବକ୍ତବ୍ୟ ରଖି ବର୍ତ୍ତମାନ ସମୟରେ ପରିବେଶ ସନ୍ତୁଳନତାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ପରିବେଶ ସୁରକ୍ଷା କରିବାକୁ ଆହ୍ଵାନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ପରିବେଶବିତ ତଥା ଟାଙ୍ଗିଆ ଜାମ କମିଟିର ମୁଖ୍ୟ ଗୋପାଳ ହୋତା ଓ ମହିମୁଣ୍ଡା କଲେଜର ଅଧ୍ୟାପକ ଜଗନ୍ନାଥ ସାହୁ, କରାଟେ ପ୍ରଶିକ୍ଷକ ମାନୁଆଲ ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପରେ ସାଂସ୍କୃତିକ, ମନୋରଂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଜେଏସ୍ଏମ୍ କମର୍ସ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ । କଲେଜର ଖେଳ ଶିକ୍ଷକ ନିରୋଜ ମିଶ୍ର ପରିଚାଳନା କରିଥିଲେ । କଲେଜ୍ର ସହ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।