ଆଟଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

  • “ଛାତ୍ର ଜୀବନ ଅନୁଭୂତି ଓ ଅଭିଜ୍ଞତା ଅର୍ଜନର ସମୟ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଆଟଗାଁ ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚରଣ ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଜୀବନ ଅନୁଭୂତି ଓ ଅଭିଜ୍ଞତା ଅର୍ଜନର ସମୟ ବୋଲି କହିବା ସହ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ଶୃଙ୍ଖଳା ଜ୍ଞାନ ସମାଜ ଜୀବନରେ ପ୍ରତିଫଳିତ ହୁଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡଃ. ପ୍ରେମଚାନ୍ଦ ମହାନ୍ତି ଯୋଗଦେଇ ଉତ୍ତମ ଛାତ୍ରମାନେ ହିଁ ଦେଶର ଭାଗ୍ୟ ନିର୍ମାତା ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ଓ ଛତାମଖନା ହାଇସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସମୟାନୁବର୍ତ୍ତିତା ଜୀବନକୁ ସୁଖମୟ କରିଥାଏ ଏଣୁ ସଫଳତା ନିମିତ୍ତ ଛାତ୍ର ସମାଜକୁ ସମୟାନୁବର୍ତ୍ତିତା ହେବାକୁ ପଡିବ ବୋଲି କହିଥିଲେ । ପ୍ରଧାନ ଶିକ୍ଷକ ଦିଲିପ ଯୋଶୀ ବାର୍ଷିକ ବିବରଣୀ ପଠନ କରିଥିଲେ । ସ୍ୱଗେତ ଭାଷଣ ଶିକ୍ଷୟତ୍ରୀ ସନ୍ତୋଷିନୀ ସାହୁ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଅନ୍ତର୍ଯ୍ୟାମୀ ବିଶ୍ୱାଳ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ସନାତନ ବାଗ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ତରଫରୁ “ରସବର୍ଣ୍ଣା” ପତ୍ରିକାକୁ ଉନ୍ମୋଚିତ କରାଯାଇଥିଲା । ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ପାଇଁ ସୋନାଲି ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଜ୍ଞାନ ସୁନାଙ୍କ ନିର୍ଦ୍ଦେଶିତ ନାଟକ “ଭୂଲ ସ୍ବୀକାର” ଛାତ୍ରମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ରୋହିତାଶ୍ଵ ଯୋଶୀ, ଜ୍ୟୋସ୍ନା ଭୋଇ, ସନାତନ ବାଗ, ପଦ୍ମିନୀ ସାହୁ, ପ୍ରଦ୍ୟୁମ୍ନ ରାଉତ, ନିତାଇ ନାଏକ, ଶ୍ୟାମାରାଣୀ ମହାପାତ୍ର, ପୃଥ୍ୱୀରାଜ ସାହୁ ଓ ଶିକ୍ଷା କର୍ମଚାରୀ ଚିନ୍ତାମଣୀ ବାଗ, ରମାକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.