ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ସ୍ଥିତ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଆର୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ପଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦୀପକ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟବକ୍ତା ଭାବେ ହୀରାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଣିକର ମାଝୀ ଯୋଗଦେଇ ମନଯୋଗୀ ହୋଇ ପାଠପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେଇଥିଲେ । ସମ୍ମାନିତ ଅତିଥିଭାବେ ଭାରପ୍ରାପ୍ତ ସରପଞ୍ଚ ସମ୍ପଦ ବାଘ, ସିଆରସିସି ସୌରଭ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦିଘୋଷ ମାଝୀ ଓ ୱାର୍ଡ ସଭ୍ୟ ପଞ୍ଚୁ ଦୀପ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । ସ୍କାଉଟ ଗାଇଡ଼, ରେଡ଼କ୍ରସ ଛାତ୍ରଛାତ୍ରୀ ଓ ସାହାଜବାହାଲ ଗ୍ରାମବାସୀ ସହଯୋଗ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଶେଷରେ ଶିକ୍ଷକ ସରୋଜ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ସାହାଜବାହାଲ ଗ୍ରାମର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.