oom

ଦେଓଗାଁ ରୋଗୀ କଲ୍ୟାଣ ସମିତି ବୈଠକରେ ଅନିୟମିତତା ଅଭିଯୋଗ : ଖର୍ଚ୍ଚ ନ ହୋଇ ପଡ଼ିରହିଛି ୫ଲକ୍ଷ ଟଙ୍କା, ୟୁସି ନ ଦେବାରୁ ଆସୁନାହିଁ ନୂଆ ଅନୁଦାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇ ବର୍ଷରୁ ଅଧିକ ହେଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ହୋଇନାହିଁ । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ମଞ୍ଜୁର ହୋଇ ଆସିଥିବା ଅର୍ଥ ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତି କ୍ରମେ ଟଙ୍କା ଖର୍ଚ୍ଚ ହେବାର ନିୟମ ଅଛି । ଯାହା ଫଳରେ ସିଏଚସିର ଏକାଉଣ୍ଟରେ ଗଚ୍ଛିତ ଥିବା ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ । ଖର୍ଚ୍ଚ ପ୍ରମାଣ ପତ୍ର ବା ୟୁସି ଦିଆଯାଇ ନ ଥିବାରୁ ନୂଆ ଯୋଜନାର ଟଙ୍କା ମଞ୍ଜୁର ହେଉନଥିବା ସୂଚନା ମିଳିଛି । ଏହା ଦ୍ୱାରା ରୋଗୀ କଲ୍ୟାଣ ପାଇଁ ଆସୁଥିବା ଅର୍ଥ ଆପେ ଆପେ ହାତ ଛଡ଼ା କରୁଛି ଦେଓଗାଁ ସିଏଚସି । ଏ ସଂକ୍ରାନ୍ତରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଇଥିବା ତଥ୍ୟ ଅନୁସାରେ ଗତ ୨୦୧୯ ମେ ମାସରେ ଦେଓଗାଁ ସିଏଚସିର ଶେଷ ବୈଠକ ବସିଥିଲା । ସେହି ବୈଠକରେ ହୋଇଥିବା ବିଭିନ୍ନ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇଥିଲା । ହେଲେ ସେହି ଶେଷ ବୈଠକ ପରେ ସର୍ବନିମ୍ନ ୨ ଥର ବୈଠକ ବସିବା କଥା ବସୁନାହିଁ । ଅନ୍ୟପକ୍ଷରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ହେଉଛନ୍ତି ସଂପୃକ୍ତ ବିଧାୟକ । କୁଆଡ଼େ ବିଧାୟକଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବୈଠକ ଅନୁଷ୍ଠିତ ହୋଇ ପାରୁନାହିଁ । ବୈଠକ ନ ହେବା କିମ୍ବା ବିଳମ୍ବ ହେବା ଦ୍ୱାରା ଆଗକୁ ଥିବା ଲକ୍ଷ୍ୟ ସାଧନ ହୋଇ ପାରୁନାହିଁ । ଅତି ଜରୁରୀ ସାମଗ୍ରୀ ଭାବେ ଔଷଧ ଗୋଦାମରେ ଏସି ଲଗାଯାଇ ନ ଥିବାରୁ ଅନେକ ମୂଲ୍ୟବାନ ଔଷଧ ଅନେକ ସମୟରେ ନଷ୍ଟ ହେଉଥିବା ଜଣାପଡ଼ିଛି । ସେହିପରି ବୈଠକ ନ ବସିବା ଦ୍ୱାରା ଅନେକ କ୍ଷତି ହେଉଥିବା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଲୋଚନା ହେଉଛି ।

ସୂଚନା ଯୋଗ୍ୟ ଯେ, ୨୦୨୦ ପ୍ରଥମରୁ କରୋନା ଯୋଗୁଁ ଅନେକ ବୈଠକ ବାତିଲ ହୋଇଥିବା ବେଳେ ଅନେକ ବୈଠକ ଅନଲାଇନରେ ହୋଇ ବିକାଶକୁ ଆଗେଇ ନିଆଯାଇଛି । ଦେଓଗାଁ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାମକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବୁଧବାର ବଲାଙ୍ଗିର ସାର୍କିଟ ହାଉସରେ ସମୀକ୍ଷା କରିଥିବାରୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି, ହେଲେ ରୋଗୀ କଲ୍ୟାଣ ସମିତି ବୈଠକକୁ ମଧ୍ୟ ଏକ ଜରୁରୀ କାଳୀନ ବୈଠକ ବୋଲି ବିଚାର କଲେ ଅନେକ ହିତାଧିକାରୀ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

jittmm
Leave A Reply

Your email address will not be published.