jayashree

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ବିବାଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଲେ ଝିଟିକିପଡାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମର ଜାମୁମୁଣ୍ତା ପଡାର ଆଦିବାସୀ ପରିବାର ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ପାଇଁ ଜିଲ୍ଲାପାଳଙ୍କୁ ପଡାବାସୀ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମର ଜାମୁମୁଣ୍ତା ପଡାରେ ଦୀର୍ଘ ୧୫ ବର୍ଷ ଧରି ଏକ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିଲା । ଗତ ୨ ବର୍ଷ ତଳେ ଏହି କେନ୍ଦ୍ର ନିମନ୍ତେ ଏକ ସ୍ଥାୟୀ ଘର ନିର୍ମାଣ ପାଇଁ ବ୍ଲକରୁ ଅର୍ଥ ମଞ୍ଜୁର ହେବା ପରେ ବିଡିଓ ପଡ଼ାବାସୀଙ୍କୁ କହିବାରୁ ପଡାର ଲାଲ୍‌ଚନ୍ଦ୍ର ଧରୁଆ ନିଜ ରୟତି ଜମିରୁ ୪ଡି ଜମି ବିଡିଓଙ୍କ ନାମରେ ରେଜିଷ୍ଟ୍ରେସନ କରିଥିଲେ । ଆଦିବାସୀ ଜମି ହୋଇଥିବାରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରୁ ଜମି ରେଜିଷ୍ଟ୍ରେସନର ଅନୁମତି ହେବା ପରେ ଜମି ରେକର୍ଡ ହୋଇଥିଲା । ଜମି ରେଜିଷ୍ଟ୍ରି ପାଇଁ ଆଦିବାସୀ ପଡାବାସୀଙ୍କୁ ୧୦ ହଜାର ଟଙ୍କାରୁ ଅଧିକ ହାତରୁ ଖର୍ଚ୍ଚ କରିବାକୁ ପଡିଥିଲା । ଜମି ରେଜିଷ୍ଟ୍ରି ହେବା ପରେ ଅଙ୍ଗନୱାଡି ଦିଦିଙ୍କ ସ୍ୱାମୀଙ୍କ ପ୍ରଭାବରେ ଅନ୍ୟ ଏକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରୁ ଗ୍ରାମବାସୀମାନେ ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କଲେ ମଧ୍ୟ କିଛି ବିଚାର ନ ହେବାରୁ ପଡ଼ାବାସୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନଙ୍କ ଠାରେ ଆପତ୍ତି ଉଠାଇଥିଲେ । ନୂଆଦିଲ୍ଲୀ ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି କମିଶନ ବରଗଡ ଜିଲ୍ଲାପାଳଙ୍କୁ ନୋଟିସ ମଧ୍ୟ ଦେଇଛନ୍ତି । ଏହା ସତ୍ତ୍ବେ ରାଜନୈତିକ ଚାପରେ ଅଙ୍ଗନୱାଡି କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ପଡାବସୀ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମରଣ ଅନଶନରେ ବସିବା ପାଇଁ ସ୍ଥିର କରିଛନ୍ତି । ଜାମୁମୁଣ୍ତା ପଡାବାସୀ ସର୍ବଶ୍ରୀ ଲାଲଚନ୍ଦ୍ର ଧରୁଆ, ପୁନିତରାମ ବାଗ, ଦଶରଥ ସୁନା, ଗୁରୁଜି ସୁନା, ଚତୁର ଧରୁଆ ପ୍ରମୁଖ ବରଗଡ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.