ନିଜ ଜନ୍ମ ଦିନ ଅବସରରେ ସମ୍ପୂର୍ଣ୍ଣ ଅଙ୍ଗ ଦାନ କଲେ ସୁଚିସ୍ମିତା ଷଡ଼ଙ୍ଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସୁଚିସ୍ମିତା ଷଡ଼ଙ୍ଗୀ ତାଙ୍କର ଜନ୍ମ ଦିନରେ ନିଜର ସମ୍ପୂର୍ଣ୍ଣ ଶରୀରକୁ ଦାନ କରିଛନ୍ତି । ଭୀମ ଭୋଇ ହସ୍ପିଟାଲ୍ ଓ ମେଡିକାଲ କଲେଜର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ମନୋଜ କୁମାର ଦେହୁରୀ ଓ ଶ୍ରୀକାନ୍ତ ତ୍ରିପାଠୀଙ୍କୁ ଭେଟି ସେ ଶରୀର ଦାନର ସମସ୍ତ ପ୍ରକ୍ରିୟା ସମାପ୍ତ କରିଥିଲେ । ଏହାଦ୍ୱାରା ତାଙ୍କ ମର ଶରୀର ଅବଶ୍ୟକୀୟ ଅଙ୍ଗ ଆଶାୟୀ ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା କାମରେ ଆସି ପାରିବ ।
ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନିଜ ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣିଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିବା ବେଳେ ଅଙ୍ଗ ଦାନ ହିଁ କେବଳ ଲୋକଙ୍କ ଜୀବନ ବଞ୍ଚାଉଛି । ଏହାକୁ ନଜରରେ ରଖି ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି । ସାଧାରଣରେ ମୃତକଙ୍କ ପରିବାର ମୃତକଙ୍କୁ ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଶବକୁ ପୋଡି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀରଟି ଆଉ କାହାରି କାମରେ ଆସି ପାରେ ନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ଯଦି ମୃତ ଶରୀରକୁ ଦାନ କରି ଦିଆଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି, କିଡନି ଆଦି ବାହାର କରାଯାଇ ଜଣେ ଆବଶ୍ୟକ କରୁଥିବା ରୋଗୀକୁ ଦିଆଯାଇପାରିବ । ତା’ ଛଡା ମୃତ ଶରୀର ଛାତ୍ରଛାତ୍ରୀଙ୍କ ପଢାରେ ଉପଯୋଗ କରାଗଲେ ଆଗାମୀ ଦିନରେ ବିଜ୍ଞାନର ଉନ୍ନତି ହୋଇପାରିବ ବୋଲି ଭୀମ ଭୋଇ ହସ୍ପିଟାଲ୍ ଓ ମେଡିକାଲ କଲେଜର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ଦେହୁରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସମାଜସେବୀ ଅଜୟ କୁମାର ନାଗଙ୍କ ପ୍ରେରଣା ତଥା ଏନ୍‌ଏଫ୍‌ଆଇଡିଆ ପ୍ରତିଷ୍ଠାତା ପ୍ରଭାତ କୁମାର ମହାନନ୍ଦ, ଶିବପ୍ରସାଦ ନାଗ, ପଶ୍ଚିମ୍ ଓଡ଼ିଶା ଯୁବା ମୁଞ୍ଚ ସଦସ୍ୟ ଅଭିଷେକ ଦାସ, ଖଗେଶ୍ୱର ପ୍ରଧାନ ଓ ବିଂଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭାପତି ସୋମନାଥ ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.