ଅନ୍ଵେଷା ହଷ୍ଟେଲର ପ୍ରିନ୍ସ କୁମ୍ଭାରଙ୍କ ମୃତ୍ୟୁ ଘଟଣାକୁ ନେଇ ଭୀମ ଆର୍ମି, ଆମ୍ବେଦକର ୱେରିଅର୍‌ଙ୍କ ପକ୍ଷରୁ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର କଲେଜ ରୋଡ୍‌ ସ୍ଥିତ ଅନ୍ଵେଷା ହଷ୍ଟେଲର ନବମ ଶ୍ରେଣୀ ଛାତ୍ର ମେଲଛାମୁଣ୍ଡା ଥାନା ଝାଙ୍କରପାଲି ଗ୍ରାମର ପ୍ରିନ୍ସ କୁମ୍ଭାର(୧୪)ଙ୍କ ଗତ ୩୦ ତାରିଖ ମୃତ୍ୟୁର ଘଟଣାକୁ ନେଇ ଆଜି ଆମ୍ବେଦକର ୱେରିଅର ପ୍ରତିଷ୍ଠାତା ଜୟ ଜାଲ, ଏଲ୍‌ଡିଏ ଲବ ସୁନା ଓ ଭୀମ ଆର୍ମିର ବିହାରୀ ଛତରଙ୍କ ନେତୃତ୍ୱରେ ପଦ୍ମପୁରରେ ବିରାଟ ଆନ୍ଦୋଳନ କରାଯାଇଥିଲା । ଘଟଣା କ୍ରମେ ୩୦ ତାରିଖ ରାତ୍ରିରେ ମୃତ ପ୍ରିନ୍ସ କୁମ୍ଭାର ବାଥ୍‌ରୁମ୍‌ରେ ଗୋଟିଏ ଲୁହା ରଡ଼ରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ସୁପରିଣ୍ଟେଣ୍ଡ ପର୍ଶୁରାମ ଧାରୁଆ ପ୍ରକାଶ କରିଥିଲେ । ମାତ୍ର ତାଙ୍କ ପରିବାର ତରଫରୁ ଏହା ଆତ୍ମହତ୍ୟା ନୁହେଁ ଏହା ଏକ ହତ୍ୟା ବୋଲି ସନ୍ଦେହ କରି ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ପାଇଁ ପଦ୍ମପୁର ପୋଲିସ ପାଖରେ ଦାବୀ କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଭୀମ ଆର୍ମି, ଆମ୍ବେଦକର ୱେରିଅର ଓ ଏଲ୍‌ଡିଏ ପକ୍ଷରୁ ପୋଲିସ ବିରୁଦ୍ଧରେ ଏହାର ଉଚିତ୍‌ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆନ୍ଦୋଳନ କରାଯାଇଥିଲା । ହାଇସ୍କୁଲ ପଡିଆ ଠାରୁ ବିରାଟ ପଟୁଆରରେ ଶହ ଶହ ସଂଖ୍ୟାରେ ଆମ୍ବେଦକର ପ୍ରେମୀ ଜୟ ଭୀମ ନାରା ଲଗାଇ ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖରେ ଗଣଧାରଣା ଦେଇଥିଲେ । ଶେଷରେ ପୋଲିସ ଅତି ଶୀଘ୍ର ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.