jayashree

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ନରସିଂହ

  • ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିଧାନସଭା ହେବ ହୁଲସ୍ତୁଲ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମକ ଶିକ୍ଷକଙ୍କ ଦାବୀ ଯୁକ୍ତିଯୁକ୍ତ ଅଟେ । ମୁଁ ଏବଂ ମୋ ଦଳ ଏହାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ । ରାଜ୍ୟ ସରକାର ଗୋଟିଏ ପଟେ କହୁଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ଠିକା ନିଯୁକ୍ତି ବନ୍ଦ କରିବେ କିନ୍ତୁ ନିଜ କଥାକୁ ନିଜେ ପୁଣି ଫେରାଇ ନେଇ ଶିକ୍ଷକ କ୍ଷେତ୍ରରେ ଠିକା ନିଯୁକ୍ତି ଚାଲୁ ରଖିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଗ୍ରେଡ୍‌ ପେ’ରେ ବୃଦ୍ଧି ଏବଂ ପୁରୁଣା ପେନ୍‌ସନ୍‌ ନୀତି ଚାଲୁ ରଖିବା ଦାବୀରେ ସାରା ରାଜ୍ୟରେ ଲକ୍ଷାଧିକ ଶିକ୍ଷକ ଗତ ୮ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଦାବୀଗୁଡିକୁ ସରକାର ଯଦି ପୁରଣ ନ କରିବେ ତେବେ ବିଧାନସଭାରେ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀକୁ ନେଇ ବିଧାନସଭା ହୁଲସ୍ତୁଲ କରାଯିବ ବୋଲି ଶିକ୍ଷକଙ୍କ ଗଣଧାରଣାରେ ଯୋଗଦେଇ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷା ହିଁ ସମାଜର ଅର୍ଥନୀତିକୁ ସୁଦୃଢ କରିଥାଏ କିନ୍ତୁ ଦେଖାଦେଉଛି ଏହି ସରକାର ଦୀର୍ଘ ସମୟ ଧରି ଶାସନରେ ଥିଲେ ହେଁ ଶିକ୍ଷକମାନଙ୍କର ସ୍ଥିତି ଦୋହୁଳିବାରେ ଲାଗିଛି । ସ୍କୁଲ ଭିତ୍ତିଭୂମି ସାଙ୍ଗକୁ ଏପରି ଅନେକ ସ୍କୁଲ ଅଛି ଯେଉଁ ଠାରେ ଶିକ୍ଷକ ନାହାନ୍ତି । ଶିକ୍ଷକ ଥିଲେ ଅନ୍ୟାନ୍ୟ କର୍ମଚାରୀ ନାହାନ୍ତି । ପ୍ରାୟତଃ ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଏବେ ବନ୍ଦ ପଡି ରହିଛି । ଏହା ସରକାରଙ୍କର ଏକ ସୁଚିନ୍ତିତ ଷଡଯନ୍ତ୍ର । ଏହାକୁ ନେଇ ଶିକ୍ଷକ ସମାଜ ସଚେତନ ରୁହନ୍ତୁ, ବିଧାନସଭାରେ ନିଶ୍ଚିତ ଲଢେଇ ହେବ ଆପଣମାନେ ବାହାରେ ଆପଣଙ୍କ ଆନ୍ଦୋଳନକୁ ଜାରି ରଖନ୍ତୁ । ଗୋଟିଏ ଶିକ୍ଷାନୀତିରେ ୫ ପ୍ରକାର ଶିକ୍ଷକ, ୫ ପ୍ରକାର ଦରମାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏହି ଆନ୍ଦୋଳନରେ ଅଭିଭାବକ ତଥା ସାଧାରଣ ଜନତାଙ୍କୁ ସାମିଲ କରନ୍ତୁ ଦେଖିବେ ଆପଣଙ୍କ ନ୍ୟାର୍ଯ୍ୟ ଦାବୀକୁ ନିଶ୍ଚିତ ଭାବରେ ମାନିବ ବୋଲି ସେ କହିଥିôଲେ । ଏଠାରେ ସୂଚନାଯୋଗ୍ୟ ଯେ, ସାରା ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗତ ୮ ତାରିଖରୁ ତାଙ୍କ ତିନି ଦଫା ଦାବୀକୁ ନେଇ ଆନ୍ଦୋଳନ କରୁଥିଲେ ହେଁ ସରକାର ତାଙ୍କ ଦାବୀକୁ ନେଇ କର୍ଣ୍ଣପାତ କରୁନାହିଁ । ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ ପଡି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଯଦି ଏପରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ହୋଇ ପଡିରହେ ତେବେ ସମାଜର ସ୍ଥିତି ସମ୍ମୂର୍ଣ୍ଣ ଭାବେ ଭୁଷୁଡି ପଡିବ । ତେଣୁ ଯେତେ ଶୀଘ୍ର ହେବ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରାଥମିକ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ମାନି ନେବା ଉଚିତ୍‌ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.