jayashree

ଝାଡ଼ଖଣ୍ଡରେ ଓଡ଼ିଆ ମାରଣ ଷଡ଼ଯନ୍ତ୍ର ବିରୁଦ୍ଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପୂର୍ବାହ୍ନରେ ପଶ୍ଚିମ ସିଂହଭୂମି ଜିଲ୍ଲାର ବନ୍ଦଗାଁ ବ୍ଲକ ଅନ୍ତର୍ଗତ କୁଡୈକଳା ରାଜକୀୟ ବୁନିଆଦି ବିଦ୍ୟାଳୟ ପ୍ରାଙ୍ଗଣରେ ବହୁସଂଖ୍ୟାରେ ଓଡ଼ିଆ ଭାଷାଭାଷୀମାନେ ଏକତ୍ରିତ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଅବହେଳା ବିରୁଦ୍ଧରେ ଏକ ସ୍ଵରରେ ଆନ୍ଦୋଳନର ରୂପରେଖ ତିଆରି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ବରିଷ୍ଠ ଓଡ଼ିଆ ମାତୃଭାଷା ପ୍ରେମୀ ବନମାଳୀ ମଣ୍ଡଳ ସଭାରେ ଅଧ୍ୟକ୍ଷତା କରିଥିଲେ ଏବଂ ଝାଡ଼ଖଣ୍ଡ ରାଜ୍ୟ ଅଳ୍ପ ସଂଖ୍ୟକ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ଯେ ପର୍ଯ୍ୟନ୍ତ ଆମର ଦାବୀକୁ ସରକାର ପୂରଣ କରୁନାହାନ୍ତି ଆମେ ଛାଡ଼ିବା ନାହିଁ । ମାତୃଭାଷାରେ ପଠନପାଠନ ଆମ ସାମ୍ବିଧାନିକ ଅଧିକାର । ଏହି ଅଧିକାରରୁ ଆମ ପିଲାମାନଙ୍କୁ ବଞ୍ଚିତ ରଖିବା ପାଇଁ ଝାଡ଼ଖଣ୍ଡ ସରକାରଙ୍କ ଏଭଳି କୁତ୍ସିତ କାର୍ଯ୍ୟକୁ ଆମେ ସର୍ବଦା ନିନ୍ଦା କରୁଛୁ ଏବଂ ସଡ଼କ ଠାରୁ ଆମ ଆନ୍ଦୋଳନ ଆରମ୍ଭ ହୋଇ ସାରିଛି ଏବଂ ଏହି ଆନ୍ଦୋଳନ ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ଯିବ । ଯଦି ସୁରୁଖୁରୁରେ ଆମର ଦାବୀ ପୂରଣ ହେଲା ତ ଭଲ, ନହେଲେ ଝାଡ଼ଖଣ୍ଡ ରାଜ୍ୟର କୋହ୍ଲାଣ ପ୍ରମଣ୍ଡଳ ସାରାରେ ଗଣ ବିକ୍ଷୋଭର ଆୟୋଜନ ପ୍ରତି ସ୍ଥାନରେ କରାଯିବ । ଆଜିର ଏହି ସଭାରେ ଉପସ୍ଥିତ ଜନ ଗହଳିରେ ପୁରୁଷ ମାନଙ୍କ ସହିତ ନାରୀମାନେ ମଧ୍ୟ ଏକାଠି ହୋଇ ଆମ ଆନ୍ଦୋଳନର ସୂତ୍ରପାତ କରିଛନ୍ତି । ସମସ୍ତ ଓଡ଼ିଆ ଭାଷା ଭାଷୀ ଭାଇ ଭଉଣୀମାନଙ୍କୁ ଏଭଳି ଉତ୍ସାହ ଏବଂ ମାତୃଭାଷା ପ୍ରତି ନିଜର ସ୍ପଷ୍ଟ ସମର୍ଥନ ଜଣାଇଥିବାରୁ ବନମାଳୀ ମଣ୍ଡଳ ସମସ୍ତ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଏହା ଆରମ୍ଭ ମାତ୍ର, ଆମକୁ ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ପ୍ରତ୍ୟେକ ଗ୍ରାମବାସୀଙ୍କୁ ମାତୃଭାଷାରେ ପଠନପାଠନ ପାଇଁ ସରକାର ସହିତ ଲଢେଇ କରିବା ପାଇଁ ଆହ୍ୱାନ ଜଣାଉଛି । ମାତୃଭାଷା ଓଡ଼ିଆରେ ପଠନପାଠନ, ଓଡ଼ିଆ ସ୍କୁଲମାନଙ୍କରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆକୁ ଦ୍ବିତୀୟ ରାଜ ଭାଷାର ମର୍ଯ୍ୟାଦା ଫେରାଇ ଆଣିବାକୁ ଆମକୁ ସଂଘର୍ଷ କରିବାକୁ ପଡ଼ିବ । ତାପରେ ଅପରାହ୍ନରେ ଉକ୍ତ ବ୍ଲକର ଅନ୍ୟ ଏକ ଶତପ୍ରତିଶତ ଓଡ଼ିଆ ଗାଁଆ ରାପ୍ସରିପ୍ସରେ ମଧ୍ୟ ଏଭଳି ସାଧାରଣ ସଭାର ଆୟୋଜନ ଅଛି ବୋଲି ଅଶୋକ ଷଡ଼ଙ୍ଗୀ କହିଲେ ।

Leave A Reply

Your email address will not be published.