
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଵାସ୍ଥ୍ୟ ଠିକା କର୍ମଚାରୀ ଆନ୍ଦୋଳନ କରିଥିବା ଜଣାପଡିଛି । ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଓଡ଼ିଶା ସରକାର ଗତ ଅକ୍ଟୋବର ୨୨ ତାରିଖରେ ପୂଜାଭେଟି ସ୍ୱରୂପ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ଘୋଷଣା କରିଥିଲେ । ହେଲେ ଏହା ଧୂଆଁବାଣ ସଦୃଶ୍ୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଘୋଷଣା କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି । କାର୍ଯ୍ୟକାରୀ ନା’ ଗନ୍ଧ ଜଣାପଡୁନି । ଏହା ଯେ, ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ଭଳି ଅତି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ଵାରା ଠିକା ନିଯୁକ୍ତି ପାଇଥିବା ବହୁ ଠିକା କର୍ମଚାରୀ ନିୟମିତ ହେବା ପ୍ରକ୍ରିୟାରେ ବଞ୍ଚିତ ହୋଇଛନ୍ତି । ଏପରିକି ଏହି କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ସଫଳତା ପାଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇପାରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି କର୍ମଚାରୀମାନେ ନିୟମିତ ପ୍ରକ୍ରିୟାରେ ବଞ୍ଚିତ ହୋଇଛନ୍ତି । ପ୍ରକାଶ ଥାଉକି, ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଠିକା କର୍ମଚାରୀମାନେ ଏଭଳି ଅବ୍ୟବସ୍ଥାରେ ଠିକା ଭାବେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି । ନିଜର ସ୍ଥାୟୀ ନିଯୁକ୍ତି ଏକମାତ୍ର ଦାବୀ ନେଇ ଓଡ଼ିଶା ସ୍ଵାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଠନ କରି ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ନିଜ ନିଜ କର୍ମକ୍ଷେତ୍ରରେ ହଳଦିଆ ବ୍ୟାଜ୍ ପିନ୍ଧି ପ୍ରଶାସନର ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସମ୍ପ୍ରତି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ହଳଦିଆ ବ୍ୟାଜ୍ ପରିଧାନ କରି ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରି ସରକାରଙ୍କୁ ଦାବୀ ଜଣାଇଛନ୍ତି । ଏହା ସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଠିକା କର୍ମଚାରୀମାନେ ହଳଦିଆ ବ୍ୟାଜ୍ ପରିଧାନ କରି କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯଦି ସରକାର ସ୍ଥାୟୀ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ଓଡ଼ିଶା ସ୍ଵାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ନିଷ୍ପତ୍ତି କ୍ରମେ ୨୧ ତାରିଖରେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି । ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ଆଇ ସିଟିସି କାଉନସିଲର ଡ. ସନ୍ତୋଷ କୁମାର ରାଜୁ, ବିଡିଏମ ଗତିକୃଷ୍ଣ ପଣ୍ଡା, ଏସ୍ଟିଏସ ପ୍ରଭାତ କୁମାର ସାହୁ, ଏନ୍ସିଡି କାଉନସିଲର ଡି ଦେବହରି ରେଡ଼ି, ଆଇସିଟିଏସ ଲାବ ଟେକ୍ନିସିଆନ ପଦ୍ମାନନ୍ଦ ଗନ୍ତାୟତ, ଅପଥାଲାମିକ୍ ଆସିଷ୍ଟାଣ୍ଟ ପ୍ରଦୀପ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ହସ୍ପିଟାଲରେ ଏଭଳି ଆନ୍ଦୋଳନ ଜାରି ରଖିଛନ୍ତି ।