ବଲାଙ୍ଗିରରେ ହାଇକୋର୍ଟ ପୁନଃସ୍ଥାପନ ଦାବୀରେ ଆନ୍ଦୋଳନ ତେଜିଲା : ସମସ୍ତ ସରକାରୀ, ବେସରକାରୀ, ଡାକଘର, ବୀମା ଓ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ

  • ଆନ୍ଦୋଳନରେ ସାମିଲ ହେଲେ ଦୁଇ ପଦ୍ମଶ୍ରୀ ଓ ଲୋଇସିଂହା ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହାଇକୋର୍ଟ ପୁନଃସ୍ଥାପନ ଦାବୀରେ ଆଜି ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି । ବଲାଙ୍ଗିର ମିଳିତ ଏକ୍ସନ କମିଟିର ଆହ୍ୱାନ କ୍ରମେ ଡାକରା ଦିଆଯାଇଥିବା ଆନ୍ଦୋଳନ ଫଳରେ ବଲାଙ୍ଗିରର ସମସ୍ତ ସରକାରୀ, ବେସରକାରୀ, ଡାକଘର, ବୀମା ଓ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା । ଆଜି ସକାଳୁ ଓକିଲସଂଘ, ଏକ୍ସନକମିଟି ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଇଥିଲେ । ଫଳରେ ଜିଲ୍ଲାରେ ଜୀବନଯାତ୍ରା ବ୍ୟାହତ ହୋଇ ସରକାରୀ କାମ ଠପ୍‌ ହୋଇଯାଇଥିଲା । ଦିନ ୧୦.୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୫୦ଟି ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ସରକାରଙ୍କୁ ଖୋଲା ଚେତାବନୀ ଦେଇଥିଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ସରକାର ବଲାଙ୍ଗିରରେ ୧୯୪୦-୪୮ ମସିହା ପର୍ଯ୍ୟନ୍ତ ଥିବା ହାଇକୋର୍ଟକୁ ପୁନଃସ୍ଥାପନ ନକଲେ ଆଗକୁ ଭୟାବହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦଗାତା, ପଦ୍ମଶ୍ରୀ ନରସିଂହପ୍ରସାଦ ଗୁରୁ, ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଯୋଗଦେଇ ବଲାଙ୍ଗିର ହାଇକୋର୍ଟ ପୁନଃସ୍ଥାପନ ଦାବୀର ଯଥାର୍ଥତା ଉପରେ ମତବ୍ୟକ୍ତ କରିଥିଲେ । ସେହିପରି ଓକିଲ ସଂଘର ସଭାପତି ଅମରେଶ ତ୍ରୀପାଠୀ, ପୂର୍ବତନ ସଭାପତି ବୈଷ୍ଣବ ମିଶ୍ର, ପ୍ରମୋଦ ତ୍ରୀପାଠୀ, ରାଧାକାନ୍ତ ମହାକୁର, ପ୍ରବୀଣ ତ୍ରୀପାଠୀ ପ୍ରମୁଖ ହାଇକୋର୍ଟର ଆବଶ୍ୟକତା ଓ ବଲାଙ୍ଗିରରେ ଏହାର ସ୍ଥାପନା ଉପରେ ବକ୍ତବ୍ୟ ରଖିଥିଲେ । ଠିକ୍‌ ସେହିପରି ବରିଷ୍ଠ ଆଇନୀଜୀବୀ ଭବାନୀଶଙ୍କର ଶତପଥୀ, ଜୟରାମ ମିଶ୍ର, ଦୀନେଶ ନାଗ, ଜୟକୃଷ୍ଣ ସାହୁ, ନାଗରିକ କମିଟିର ସଭାପତି ଇଂ ବେଲାରସେନ ଭୋଇ, ସଂପାଦକ ମନୋରଂଜନ ସାହୁ, ସିଭିଲ ସୋସାଇଟିର ସଭାପତି ନୀଳମଣୀ ମିଶ୍ର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, କୋସଲ ସମନ୍ୱୟ ସମିତିର ବିକ୍ରମ ବହିଦାର, ରବି ମିଶ୍ର, ମିଳିତ ଟ୍ରେଡୟୁନିୟନର ସଭାପତି ବିଭୁଦତ୍ତ ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, କିଷାନ କଂଗ୍ରେସର ସଭାପତି ସାନନ୍ଦ ମିଶ୍ର, ସେବାଦଳର ଅସୀତ ମିଶ୍ର, ଯୁବ ଆଇନଜୀବୀ ବିଧୁଭୂଷଣ ତ୍ରୀପାଠୀ, ରଘୁନନ୍ଦନ ସିଂ, ଏକ୍ସନ କମିଟିର ସଭାପତି ସୁଶାନ୍ତ ପଟ୍ଟନାୟକ, ନାରୀନେତ୍ରୀ ନୀରୁପମା ଉଦଗାତା, ବନଲତା ଆଚାର୍ଯ୍ୟ ପ୍ରମୁଖ ବଲାଙ୍ଗିରରେ ହାଇକୋର୍ଟ ପୁନଃସ୍ଥାପନା ଉପରେ ଯୁକ୍ତି ରଖିଥିଲେ । ବରିଷ୍ଠ ଆଇନୀଜୀବୀ ବୈଷ୍ଣବ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ପାଟଣାଗଡଜାତ ସମୟରେ ୧୯୪୦ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ବଲାଙ୍ଗିରରେ ଏକ ସ୍ୱୟଂ ସଂପୂର୍ଣ୍ଣ ହାଇକୋର୍ଟ ଥିଲା ଓ ଲୋକେ ସେଠାରୁ ନ୍ୟାୟ ପାଇପାରୁଥିଲେ । କିନ୍ତୁ ୧/୧/୧୯୪୮ ମସିହାରେ ପାଟଣା ଗଡଜାତ ମିଶ୍ର ପରେ ଏହି ହାଇକୋର୍ଟକୁ ଉଠାଇ ଦିଆଗଲା । ସେହି ୧୯୪୮ ମସିହାରେ ମଧ୍ୟ ବଲାଙ୍ଗିରର ଜନସାଧାରଣଙ୍କ ସହିତ ସେତେବେଳର ବଲାଙ୍ଗିର ଓକିଲ ସଂଘ ଏହାର ତୀବ୍ର ପ୍ରତିବାଦ କରି ହାଇକୋର୍ଟ ଦାବୀ କରିଥିଲା । ସେହି ସମୟରେ ହୋଇକୋର୍ଟ ଦାବୀ ପରେ ଓଡିଶା ହାଇକୋର୍ଟ ଦୁଇଦୁଇ ଥର ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ସୁପାରିଶ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ଓଡିଶା ସରକାର ଚକ୍ରାନ୍ତ କରି ବଲାଙ୍ଗିର ଓ ସମ୍ବଲପୁର ମଧ୍ୟରେ ବିବାଦ ସୃଷ୍ଟି କରି ଦେଇ ପ୍ରସଙ୍ଗକୁ ଆଜି ପର୍ଯ୍ୟନ୍ତ ବିବାଦରେ ଫସାଇ ରଖିଛନ୍ତି । ସବୁଦୃଷ୍ଟିରୁ ବଲାଙ୍ଗିରର ନ୍ୟାର୍ଯ୍ୟ ଦାବୀକୁ ରାଜ୍ୟ ସରକାର ଅଣଦେଖା କରୁଛି ବୋଲି ଅଭିଯୋଗ ଉଠାଇଥିଲେ । ଲୋଇସିଂହା ବିଧାୟକ ମଧ୍ୟ ବଲାଙ୍ଗିରରେ ହାଇକୋର୍ଟ ପୁନଃସ୍ଥାପନ ଦାବୀକୁ ନେଇ ବିଧାନସଭାରେ ଅନେକ ଥର ଉଠାଇ ଥିବା ଓ ଆଗକୁ ଦରକାର ପଡିଲେ ଆହୁରି ଆନ୍ଦୋଳନ ଜୋରଦାର କରାଯାଉ ବୋଲି କହିଥିଲେ । ସରକାର ବଳାଙ୍ଗିର ଲୋକଙ୍କ ଦାବୀକୁ ଅଣଦେଖା କଲେ ଆଗକୁ ଆନ୍ଦୋଳନ ଭୟାଭହ ରୂପ ନେବ ବୋଲି ବକ୍ତାଗଣ କହିଥିଲେ ।

Leave A Reply

Your email address will not be published.

error: Content is protected !!