ଏନସିସିକୁ ବନ୍ଦ ନ କରିବା ଦାବୀ ନେଇ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଏନସିସିକୁ ଉଠାଇ ଦିଆଯାଇଛି । ମହାବିଦ୍ୟାଳୟରେ ଏନସିସି ବନ୍ଦ ନ କରିବା ଦାବୀ ନେଇ ଏନଏସି ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁ ଛାତ୍ରମାନେ ସୋମବାର ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣରେ ବସିଥିଲେ । ଦୀର୍ଘ ୫୦ ବର୍ଷ ଧରି ମହାବିଦ୍ୟାଳୟରେ ଏନସିସି ଚାଲୁ ରହିଥିଲା । ଫଳରେ ଏଠାରେ ତାଲିମ୍ ନେଇ ବହୁ ଛାତ୍ରଛାତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । ଏବେ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଏସବୁ ସୁବିଧା ପାଇପାରିବେ ନାହିଁ । ଏଣୁ ମହାବିଦ୍ୟାଳୟରୁ ଏନସିସିକୁ ବନ୍ଦ ନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ମହାବିଦ୍ୟାଳୟରେ ଦୁଇ ଜଣ ଏଏନଓ ରହିଥିବା ବେଳେ ଏହି ପଦବୀରେ କେହି ନଥିବା ଦର୍ଶାଇ ଏନସିସିକୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଉଠାଇ ଦିଆଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏନେଇ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୁପକ୍ଷ, ଡିଜି ଏନସିସି, ଆରଡି, ଜିଲ୍ଲାପାଳ ଓ ବ୍ରହ୍ମପୁର ସେକେଣ୍ଡ ବାଟାଲିୟାନକୁ ଜଣାଯାଇଥିଲେ ସୁଦ୍ଧା ଏହା କୌଣସି କାର୍ଯ୍ୟ କାରୀ ହେଉନାହିଁ ବୋଲି ଆନ୍ଦୋଳନରତ ଥିବା ଏନସିସି ଛାତ୍ର (ଏସୟୁଓ) ଅଜିତ୍ ମିଶ୍ର ଅଭିଯୋଗ କରିଥିଲେ । ଘଟଣାର ସୂଚନା ପାଇ ଆନ୍ଦୋଳନ ସ୍ଥଳକୁ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ପୋଲିସ୍ ପହଂଚି ଆନ୍ଦୋଳନରତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରିଥିଲେ । ଏନସିସି ସମ୍ବଦ୍ଧରେ ମହାବିଦ୍ୟାଳୟକୁ ଆସିଥିବା ସମସ୍ତ ଚିଠି ଏବଂ ମହାବିଦ୍ୟାଳୟ ପକ୍ଷରୁ ପଠାଯାଇଥିବା ସମସ୍ତ ଚିଠି ସଂଗ୍ରହ କରି ଏନସିସି କିପରି ମହାବିଦ୍ୟାଳୟରେ ବନ୍ଦ ନ ହେବ ସେଥିପ୍ରତି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ତହସିଲଦାର ଶ୍ରୀ ଭୋଇ କହିବା ପରେ ଚାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ପରେ ମହାବିଦ୍ୟାଳୟ ପରିସରରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.