ମୁରିବାହାଲ ବିଇଓ ଅଫିସର ଆକାଉଣ୍ଟାଣ୍ଟ ଓ ଏମ୍‌ଆଇଏସ କମ ପ୍ଲାନିଙ୍ଗ କୋଅର୍ଡିନେଟର ମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବିଇଓ ଅଫିସର ଆକାଉଣ୍ଟାଣ୍ଟ ଓ ଏମ୍‌ଆଇଏସ କମ ପ୍ଲାନିଙ୍ଗ କୋଅର୍ଡିନେଟର ମାନଙ୍କର ମିଳିତ ରାଜ୍ୟ ସଂଘର ଆହ୍ୱାନକ୍ରମେ ଚଳିତ ମାସ ୨୯ ତାରିଖଠାରୁ ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଗତ ୨୨ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଚେତାବନୀ ଦିଆଯାଇଛି । ମୁରିବାହାଲ ବ୍ଲକ ବିଇଓ ଅଫିସରେ କାର୍ଯ୍ୟରତ ଇନ୍ଦ୍ରମଣି ମୁଦୁଲି, ମନମୋହନ ପ୍ରଧାନ, ସୋମଦତ୍ତ ବାଗ ଓ ବିଘ୍ନେସ ମେହେର ପ୍ରମୁଖ ସମଗ୍ର ଶିକ୍ଷାର କର୍ମକର୍ତ୍ତାମାନେ ଏହି ଗଣଧାରଣା ସମ୍ପର୍କିତ ଏକ ସ୍ମାରକ ପତ୍ର ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଆକାଉଣ୍ଟାଣ୍ଟ ଓ ଏମ୍‌ଆଇଏସ କମ ପ୍ଲାନିଙ୍ଗ କୋଅର୍ଡିନେଟରମାନେ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ହେଲା ସ୍ୱଳ୍ପ ବେତନରେ ନିଷ୍ଠାର ସହିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଗୁଡିକରେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ସେମାନଙ୍କୁ ଏପର୍ଯ୍ୟନ୍ତ ସରକାର ସ୍ଥାୟୀ ନିଯୁକ୍ତି ନ କରି ଠିକା କର୍ମଚାରୀ ଭାବେ ସ୍ୱଳ୍ପ ଦରମା ଦେଇ କାମ କରାଉଛନ୍ତି । ଏହି କର୍ମଚାରୀମାନଙ୍କୁ ଉପଯୁକ୍ତ ମାସିକ ବେତନ ଏବଂ ସ୍ଥାୟୀ କରା ନଗଲେ ଚଳିତ ମାସ ୨୯ ତାରିଖଠାରୁ ସାମୁହିକ କାର୍ଯ୍ୟ ବନ୍ଦ ଓ ଫେବୃଆରୀ ୧ ତାରିଖଠାରୁ ଗଣଧାରଣା ଦେବାପାଇଁ ସୂଚନା ପ୍ରଦାନ କରିଛନ୍ତି । ତେବେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଜାରି ଥିବାରୁ ଶିକ୍ଷକମାନଙ୍କ ୩ ମାସର ଦରମା ପ୍ରଦାନ କରାଯାଇ ପାରିନି ଫଳରେ ଶିକ୍ଷକମାନେ ଘୋର ହଇରାଣର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଦାବିଗୁଡିକ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ କାର୍ଯ୍ୟବନ୍ଦ ଜାରି ରଖିଥିବା କର୍ମଚାରୀମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.