ହିଞ୍ଜିଳିରେ ବେଆଇନ ବାଲି ଦୁର୍ନୀତି, ଜମି ଦୁର୍ନୀତି, ଅବାଧ ମଦ ବିକ୍ରି ପ୍ରତିବାଦରେ ଆମରଣ ଅନଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ ବାଲିଦୁର୍ନୀତି, ମଦ ବିକ୍ରି, ଜମି ଦୁର୍ନୀତି, ଅବୈଧ ଗୃହନିର୍ମାଣ ଚାଲିଥିବା ଅଭିଯୋଗରେ କଂଗ୍ରେସ୍ ପାର୍ଟି ନେତାଙ୍କ ପକ୍ଷରୁ ସୋମବାର ଦିନ ଅମରଣ ଅନଶନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରପଦବୀ ଶୂନ୍ୟତା ଯୋଗୁଁ ଏଠାକାର ରୋଗୀଙ୍କ ଚିକିତ୍ସା ସେବା ବିପର୍ଯ୍ୟସ୍ତ ଘଟିଛି । ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବହୁବାର ଦାବୀ ଉପସ୍ଥାପନା କରି ଆସୁଥିବା ସତ୍ତ୍ୱେ ଲିଖିତ ଅଭିଯୋଗପତ୍ର ଦାଖଲ କରିବା ବେଳେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାନ ଯିବା ହେତୁ ଜାନୁଆରୀ ୫ ତାରିଖ ଦିନ କଂଗ୍ରେସ ପାର୍ଟି ନେତା ରଜନୀକାନ୍ତ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଭାବେ ଆମରଣ ଅନଶନରେ ବସିଥିଲେ । ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଲିଖିତ ଭାବେ ନିର୍ଭର ପ୍ରତିଶୃତି ଦେଇଥିବା ବେଳେ କଂଗ୍ରେସ ନେତା ଶ୍ରୀ ପାଢ଼ୀ ଅନଶନରୁ ଓହରିଥିବା ଜଣାଯାଇଛି । ସର୍ବୋପରି ହିଞ୍ଜିଳି ତହସିଲ ଅନ୍ତର୍ଭୁକ୍ତ ହିଞ୍ଜିଳି ମୌଜାର ପ୍ଲଟ୍ ନମ୍ବର ୩୦୮୧ରେ ଗଢ଼ା ହୋଇଥିବା ଅବୈଧ ଗୃହନିର୍ମାଣ ଉଚ୍ଛେଦ କରିବା, ବେଆଇନ ମଦଭାଟି ଓ ଦୋକାନ ବନ୍ଦ କରିବାକୁ ଦାବୀ ହୋଇଛି । ହିଞ୍ଜିଳି ଉପଖଣ୍ତ ଚିକିତ୍ସାଳୟରେ ଖାଲି ପଡିଥିବା ବିଭିନ୍ନ ପଦବୀ ପୂରଣ କରିବାକୁ ଦାବି କରାଯାଇଛି । ହିଞ୍ଜିଳି ତହସିଲ ଅନ୍ତର୍ଗତ ଖରିତା ଋଷିକୁଲ୍ୟା ବାଲିଶଯ୍ୟାର ଖାତା ନମ୍ବର ୫୫୪ ପୁନମ୍ବର ୪୫୩୨ ନଦୀର ୧୩ ଏକର ବାଲି ଉଠାଇବା ସକାଶେ ଅନୁମତି ପାଇଛନ୍ତି । କିନ୍ତୁ ସେ ଖରିଡା ଗ୍ରାମ୍ୟ ଜଙ୍ଗଲ ଖାତା ନମ୍ବର ୫୫୬ ପ୍ଲଟ ନମ୍ବର ୪୬୦୩ରୁ ବାଲି ବିକ୍ରି କରିବା ସହ ଖରିଡା ଗ୍ରାମ ଦେଇ ଋଷିକୁଲ୍ୟା କୁଳଘାଇ ଯାହା ପୁରୁଷୋତ୍ତମପୁରକୁ ସଂଯୋଗ କରୁଛି ତାହା ଉପରେ ବାଲି ଗାଡି ଚଳାଚଳ କରି କୁଳଘାଇଟି ନଷ୍ଟ କରିଦେଇଛନ୍ତି । ଖରିଡା ବାଲି ଘାଟର ଠିକା ଗୁତାଦାର ଗାଡିବାଲାଙ୍କୁ ଟ୍ରାଞ୍ଜିଟ୍ ପାସ୍‌ ନଦେଇ ବେଆଇନ ଭାବେ ଚଳାଉଛନ୍ତି । ଯଦି କେହି ପାସ୍‌ ବିଷୟରେ ପଚାରିଲେ ପୋଲିସ୍‌ର ଭୟ ଦେଖାଉଛନ୍ତି ବୋଲି ଶ୍ରୀ ପାଢ଼ୀ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏହାର ବିହିତ ପଦକ୍ଷେପ ଗ୍ରହଣ ସାଂଗକୁ ସମାଧାନ ନହେଲେ ଆଗମୀ ପର୍ଯ୍ୟାୟରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଶ୍ରୀ ପାଢ଼ୀ ପ୍ରଶାସନ ଆଗରେ କହିଛନ୍ତି ।

Leave A Reply

Your email address will not be published.