ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରପାଲି (କ) ଓ ଗୋଇମୁଣ୍ଡ ପେକ୍ସର ମଣ୍ଡିରୁ ତୁରନ୍ତ ଧାନ ଉଠାଣ ଦାବୀ କରି ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆମରଣ ଅନଶନରେ ବସିଥିଲେ । ସେହିପରି ଚାଷୀମାନେ ମଧ୍ୟ ଧାନବସ୍ତା ରଖି ମୁରିବାହାଲ-ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଯାନବହାନ ଅଟକି ରହିଥିଲା । ରାତି ସାଢେ ୮ଟାରେ ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ ଘଟଣାସ୍ଥଳରେ ପହଞ୍ଚି ମଣ୍ଡିରୁ ଧାନକିଣା ଆରମ୍ଭ କରିବା ପରେ ବିଧାୟକ ଶ୍ରୀ ସାଲୁଜା ଆମରଣ ଅନଶନ ପ୍ରତ୍ୟାହାର କରିଥିଲେ । ସୂଚନାଯୋଗ୍ୟ ଯେ, ପତ୍ରପାଲି (କ) ମଣ୍ଡିରେ ଟୋକନ ଆସିଥିବା ୧୧୦ ଚାଷୀଙ୍କ ମଧ୍ୟରୁ ୧୭ ଜଣଙ୍କ ଟୋକନ ବାତିଲ ହୋଇଛି ଏବଂ ୧୭୬୧ କ୍ୱିଣ୍ଟାଲ୍ ଟାର୍ଗେଟ ବାକି ଅଛି । ସେହିପରି ଗୋଇମୁଣ୍ଡ ପେକ୍ସରେ ୮୯ ଜଣଙ୍କ ଚାଷୀଙ୍କ ମଧ୍ୟରୁ ୧୨ ଜଣଙ୍କ ଟୋକନ ବାତିଲ ହୋଇଛି ଏବଂ ୨୭୧୯ କ୍ୱିଣ୍ଟାଲ ଧାନ ଟାର୍ଗେଟ ବାକିଥିବା ଜଣାପଡିଛି । ତେଣୁ ଉଭୟ ପେକ୍ସର ୧୯୯ ଚାଷୀଙ୍କ ବାକିଥିବା ଟାର୍ଗେଟ ସମ୍ପୂର୍ଣ୍ଣ କରି ଆହୁରି ୫୫୦୦ କ୍ୱିଣ୍ଟାଲ ଧାନ ଶୀଘ୍ର ଉଠାଇବା ପାଇଁ ଟାର୍ଗେଟ ଦେବାକୁ ବିଧାୟକ ଦାବୀ କରିଥିଲେ। ବିଧାୟକଙ୍କ ସହ ଧାରଣାରେ ଜିଲ୍ଳା ପରିଷଦ ସଭ୍ୟ ବେଳାରସେନ ବେହେରା, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର, କିଷାନ ସେଲ, ସଭାପତି ଗିରିଧାରି ସାହୁ, ଜିତେନ୍ଦ୍ର ହାତୀ, ଭୋଲା ବେହେରା, ଉପଧ୍ୟକ୍ଷ ମାମରାଜ ଜୈନ, ହଲଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ ଯୋଶୀ, ସରପଞ୍ଚ ଉପେନ୍ଦ୍ର ମେହେର, ସମିତି ସଭ୍ୟ ଅନିଲ,ମୁନା ବହିଦାର, ଜୟଶଙ୍କର ସାହୁ, ନେପାଲ ମହାକୁରଙ୍କ ସହ ଶତାଧିକ କଂଗ୍ରେସର କର୍ମକର୍ତ୍ତା ଓ ଦୁଇ ପେକ୍ସର ଚାଷୀ ଉପସ୍ଥିି ଥିଲେ ।