ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଶିକ୍ଷ୍ୟାବିତ୍‌, ସୁନାମଧନ୍ୟ ଜ୍ୟୋତିଷ ତଥା ସମାଜସେବୀ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମସ୍ଥାନ, ବଲାଙ୍ଗିର ଜିଲ୍ଲାର ଲୋଇସିଂହା ତହସିଲଦାର ଅଧିନ ସ୍ଥିତ ସିଂହାଣୀମୁଣ୍ଡା ଗ୍ରାମରେ ଅନାବରଣ ହୋଇଯାଇଛି । ଶ୍ରୀ ଗୁରୁ ନିଜ ପ୍ରଚେଷ୍ଟାରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଅନେକ ସ୍କୁଲ ପ୍ରତିଷ୍ଠା କରି ଯାଇଛନ୍ତି । ବିଶେଷକରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ କାମ କରିଛନ୍ତି । ଅନେକ ସଂସ୍କୃତ ଟୋଲ,(ସ୍କୁଲ) ପ୍ରତିଷ୍ଠା କରିଛନ୍ତି ଓ ବିଭିନ୍ନ ହାଇସ୍କୁଲରେ ବାଳ ବୋଧ, ପ୍ରବେଶିକା ଇତ୍ୟାଦି ସଂସ୍କୃତ ପରୀକ୍ଷା, ସଂସ୍କୃତ ପରିଷଦ ଦ୍ଵାରା କରିଛନ୍ତି । ଜଣେ ସରଳ, ଶାନ୍ତ ଓ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବରେ ସେ ପରିଚିତ । ବଲାଙ୍ଗିରର ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରୁ ଅଧ୍ୟାପକ ଭାବରେ ଅବସର ନେବା ପରେ ନିଜ ଉଦ୍ୟମରେ ବଲାଙ୍ଗିରରେ ଗୋଟିଏ ସଂସ୍କୃତ ପିଜି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେଥିରୁ ଛାତ୍ରଛାତ୍ରୀମାନେ ଆଜି ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରୁଛନ୍ତି । ଆଜିର ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ବଲାଙ୍ଗିରର ବିଶିଷ୍ଟ ବିଜେପି ନେତା ଗୋପାଳ ଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଗୁରୁଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ତାଙ୍କ ବଡ ପୁଅ ବମ୍ବେରେ ଚଳଚ୍ଚିତ୍ର ନିର୍ମାତା ଭାବେ କାର୍ଯ୍ୟରତ ଘଣ୍ଟେଶ୍ୱର ଗୁରୁ ସଭା ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଅନାବରଣ ହେବା ପରେ ବକ୍ତାମାନେ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ରାହ୍ମଣ ମହାସଭାର ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଶିଷ୍ଟ ବ୍ୟକ୍ତିମାନେ ତଥା ପରିବାରର ସଦସ୍ୟମାନେ ଏବଂ ସିଂହାଣୀମୁଣ୍ଡାର ଅନେକ ଲୋକ ଯୋଗ ଦେଇଥିଲେ । ଶେଷରେ ତାଙ୍କ ସାନ ପୁଅ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.