ସାମୁଦ୍ରିକ ଭାରତ : ଭିଜନ ୨୦୩୦ରୁ ଅମୃତ କାଳ ୨୦୪୭ ପର୍ଯ୍ୟନ୍ତ

  • ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମ ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ ଅନୱର ଇବ୍ରାହିମ,
ମହାନୁଭବଗଣ

ନମସ୍କାର,

ମୁଁ ପୁଣିଥରେ ମୋର ଆସିଆନ ପରିବାର ସହିତ ଯୋଡ଼ି ହେବାର ସୁଯୋଗ ପାଇ ବହୁତ ଖୁସି ।
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି । ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି । ମୁଁ ଆସିଆନ୍ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି ।
ଥାଇଲ୍ୟାଣ୍ଡର ରାଣୀ ମାଆଙ୍କ ଦେହାନ୍ତରେ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ରାଜପରିବାର ଏବଂ ଥାଇଲ୍ୟାଣ୍ଡର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।

ବନ୍ଧୁଗଣ,
ଭାରତ ଏବଂ ଆସିଆନ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଛନ୍ତି । ଆମେ କେବଳ ଭୌଗୋଳିକ ସୀମାରେ ଅଂଶୀଦାର ନୁହେଁ, ବରଂ ଗଭୀର ଐତିହାସିକ ସମ୍ପର୍କ ଏବଂ ସାଧାରଣ ମୂଲ୍ୟବୋଧ ସୂତ୍ରରେ ମଧ୍ୟ ଏକତ୍ର ଅଂଶୀଦାର ଅଟୁ ।

ଆମେ ଗ୍ଲୋବାଲ ସାଉଥ୍ର ସହଯାତ୍ରୀ । ଆମର ସମ୍ପର୍କ କେବଳ ବାଣିଜ୍ୟିକ ଅଂଶୀଦାରରେ ସୀମିତ ନୁହେଁ ବରଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଆମେ ଅଂଶୀଦାର ଅଟୁ । ଆସିଆନ ହେଉଛି ଭାରତର ‘’ଆକ୍ଟ ଇଷ୍ଟ’’ ନୀତିର ଏକ ପ୍ରମୁଖ ସ୍ତମ୍ଭ । ଭାରତ ସର୍ବଦା ‘ଆସିଆନ କେନ୍ଦ୍ରୀୟତା’ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନର ଦୃଷ୍ଟିକୋଣକୁ ପୂର୍ଣ୍ଣ ସମର୍ଥନ କରିଆସିଛି ।

ଏହି ଅନିଶ୍ଚିତତା ସମୟରେ ମଧ୍ୟ, ଭାରତ-ଆସିଆନ ବ୍ୟାପକ ରଣନୈତିକ ସହଭାଗୀତା ଅବିରତ ଭାବେ ଅଗ୍ରଗତି କରିଛି । ଏଥିସହିତ ଆମର ଦୃଢ଼ ସହଭାଗୀତା ବିଶ୍ୱ ସ୍ଥିରତା ଏବଂ ଅଭିବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ଭିତ୍ତିଭୂମି ଭାବରେ ଉଭା ହେଉଛି ।

ବନ୍ଧୁଗଣ,
ଏହି ବର୍ଷର ଆସିଆନ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି “ସମାବେଶୀକରଣ ଏବଂ ସ୍ଥିରତା” । ଏହି ବିଷୟବସ୍ତୁ ଆମର ମିଳିତ ପ୍ରୟାସରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି, ସେଥିରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ହେଉ କିମ୍ବା ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ଵାନଗୁଡ଼ିକ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସ୍ଥିର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା । ଭାରତ ଏହି ପ୍ରାଥମିକତାଗୁଡ଼ିକୁ ପୂର୍ଣ୍ଣ ସମର୍ଥନ କରେ ଏବଂ ଏହି ଦିଗରେ ଏକାଠି ଆଗକୁ ବଢ଼ିବାକୁ ପ୍ରତିଶ୍ରୁତିବଦ୍ଧ ।

ବନ୍ଧୁଗଣ,
ପ୍ରତ୍ୟେକ ବିପଦ ଆପଦରେ ଭାରତ ଏହାର ଆସିଆନ୍ ବନ୍ଧୁମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି । HADR (Humanitarian Assistance and Disaster Relief), ସାମୁଦ୍ରିକ ସୁରକ୍ଷା ଓ ନୀଳ ଅର୍ଥନୀତିରେ ଆମର ସହଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି, ଆମେ ୨୦୨୬କୁ “ଆସିଆନ-ଭାରତ ସାମୁଦ୍ରିକ ସହଯୋଗ ବର୍ଷ” ଭାବରେ ଘୋଷଣା କରୁଛୁ ।
ଏଥିସହ ଆମେ ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ସବୁଜ ଶକ୍ତି ଏବଂ ସାଇବର ସୁରକ୍ଷାରେ ମଧ୍ୟ ପାରସ୍ପରିକ ସହଯୋଗକୁ ଦୃଢ଼ ଭାବରେ ଆଗକୁ ବଢ଼ାଉଛୁ । ଆମେ ଆମର ସାଧାରଣ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଜନ-ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବା ଜାରି ରଖିବୁ ।

ବନ୍ଧୁଗଣ,
ଏକବିଂଶ ଶତାବ୍ଦୀ ହେଉଛି ଆମର ଶତାବ୍ଦୀ, ଭାରତ ଏବଂ ଆସିଆନର ଶତାବ୍ଦୀ । ମୁଁ ଦୃଢ ନିଶ୍ଚିତ ଯେ, “ଆସିଆନ କମ୍ୟୁନିଟି ଭିଜନ ୨୦୪୫” ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସମଗ୍ର ମାନବଜାତି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ । ଭାରତ ଏହି ଦିଗରେ ଆପଣମାନଙ୍କ ସମସ୍ତଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

Leave A Reply

Your email address will not be published.