ସାମୁଦ୍ରିକ ଭାରତ : ଭିଜନ ୨୦୩୦ରୁ ଅମୃତ କାଳ ୨୦୪୭ ପର୍ଯ୍ୟନ୍ତ

● ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ପରିମାଣ ଏବଂ ପ୍ରାୟ ୭୦ ପ୍ରତିଶତ ମୂଲ୍ୟ ସମୁଦ୍ର ପଥରେ ପରିଚାଳିତ ହୁଏ, ଯାହା ଭାରତର ଅର୍ଥନୀତି ଏବଂ ପ୍ରତିଯୋଗିତାମୂଳକତାରେ ଏହି କ୍ଷେତ୍ରର କେନ୍ଦ୍ରୀୟ ଭୂମିକାକୁ ପ୍ରତିଫଳିତ କରେ ।
● ସାମୁଦ୍ରିକ ଭାରତ ଦୃଷ୍ଟିକୋଣ ୨୦୩୦ରେ ୩-୩.୫ ଲକ୍ଷ କୋଟି ଟଙ୍କା ନିବେଶ ସହିତ ୧୫୦ ରୁ ଅଧିକ ପଦକ୍ଷେପ ଅନ୍ତର୍ଭୁକ୍ତ । ଏହା ସହିତ, ଜାହାଜ ନିର୍ମାଣ ପାଇଁ ୬୯,୭୨୫ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରାଯାଇଛି ।
● ୨୦୨୪-୨୫ ଆର୍ଥିକ ବର୍ଷରେ, ପ୍ରମୁଖ ବନ୍ଦର ମାଧ୍ୟମରେ ୮୫୫ ନିୟୁତ ଟନ୍ ମାଲ ପରିବହନ କରାଯାଇଛି, ଯାହା ସାମୁଦ୍ରିକ ବାଣିଜ୍ୟ ଏବଂ ବନ୍ଦର ଦକ୍ଷତାରେ ଯଥେଷ୍ଟ ବୃଦ୍ଧିକୁ ସୂଚିତ କରେ ।

ଭାରତର ସାମୁଦ୍ରିକ କ୍ଷେତ୍ର
ଭାରତର ଅର୍ଥନୈତିକ ଶକ୍ତି ମହାସାଗର ଦେଇ ପ୍ରବାହିତ ହୁଏ। ପରିମାଣ ଦୃଷ୍ଟିରୁ ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ଏବଂ ମୂଲ୍ୟ ଦୃଷ୍ଟିରୁ ପ୍ରାୟ ୭୦ ପ୍ରତିଶତ ବାଣିଜ୍ୟ ସମୁଦ୍ର ପଥ ଦେଇ ଗତି କରେ। ଏଣୁ କୁହାଯାଇପାରେ ଯେ ସମୁଦ୍ର ହେଉଛି ଭାରତର ବାଣିଜ୍ୟର ଜୀବନରେଖା। ଦେଶର ଆମଦାନୀ ଏବଂ ରପ୍ତାନିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଅଶୋଧିତ ତୈଳ ଏବଂ କୋଇଲା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ବୟନଶିଳ୍ପ ଏବଂ କୃଷି ଉତ୍ପାଦ ପର୍ଯ୍ୟନ୍ତ, ବ୍ୟସ୍ତବହୁଳ ବନ୍ଦରଗୁଡ଼ିକ ଦେଇ ଗତି କରେ। ଏହି ବନ୍ଦରଗୁଡ଼ିକ ଭାରତକୁ ବିଶ୍ୱର ବିଭିନ୍ନ ବଜାର ସହିତ ସଂଯୋଗ କରେ। ବିଶ୍ୱାୟନ ଯୋଗାଣ ଶୃଙ୍ଖଳ ପାରସ୍ପରିକ ନିର୍ଭରଶୀଳତାକୁ ଗଭୀର କରିବା ଏବଂ ଭାରତ ଏକ ପ୍ରମୁଖ ଉତ୍ପାଦନ ଏବଂ ଶକ୍ତି କେନ୍ଦ୍ର ଭାବରେ ଉଭା ହେବା ସହିତ, ବନ୍ଦର ଏବଂ ଜାହାଜର ଦକ୍ଷତା ସିଧାସଳଖ ଜାତୀୟ ପ୍ରତିଯୋଗିତାକ୍ଷମତାକୁ ପ୍ରଭାବିତ କରେ।
ଏମଆଇଭି-୨୦୩୦ର ପ୍ରମୁଖ ବିଷୟବସ୍ତୁ
ସାମୁଦ୍ରିକ ଭାରତ ଭିଜନ-୨୦୩୦ (ଏମଆଇଭି-୨୦୩୦) ଆରମ୍ଭ କରି ଭାରତ ନିଜକୁ ଏକ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ଏକ ବୃହତ୍ ପଦକ୍ଷେପ ଗ୍ରହଣ କରିଛି।

ଭାରତ ସାମୁଦ୍ରିକ ସପ୍ତାହ ୨୦୨୫: ସାମୁଦ୍ରିକ ମହତ୍ବାକାଂକ୍ଷାର ପରିପ୍ରକାଶ

ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ (ଆଇଏମଡବ୍ଲୁ ୨୦୨୫) ହେଉଛି ବିଶ୍ୱ ସାମୁଦ୍ରିକ କ୍ୟାଲେଣ୍ଡରରେ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ୨୭ ଅକ୍ଟୋବରରୁ ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ନେସକୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏଥିରେ ଜାହାଜ ଚଳାଚଳ, ବନ୍ଦର ଏବଂ ପରିବହନ ସମୁଦାୟର ୫ଟି ପ୍ରମୁଖ ଅଂଶୀଦାରମାନେ ଅଂଶଗ୍ରହଣ କରିବେ। ଆଇଏମଡବ୍ଲୁ ୨୦୨୫ ଆଲୋଚନା, ସହଯୋଗ ଏବଂ ବ୍ୟବସାୟ ବିକାଶ ପାଇଁ ଏକ ରଣନୈତିକ ମଞ୍ଚ ହେବ। ଏଥିରେ ପ୍ରାୟ ଶହେରୁ ଅଧିକ ଦେଶର ୧,୦୦,୦୦୦ ରୁ ଅଧିକ ପ୍ରତିନିଧି, ବନ୍ଦର ପରିଚାଳକ, ନିବେଶକ, ନବସୃଜନକାରୀ ଏବଂ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ୫ ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ପ୍ରଦର୍ଶକ, ବିଷୟଭିତ୍ତିକ ପ୍ୟାଭିଲିୟନ୍, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ବନ୍ଦର-ନେତୃତ୍ୱାଧୀନ ବିକାଶ, ଜାହାଜ ନିର୍ମାଣ କ୍ଲଷ୍ଟର ଏବଂ ଡିଜିଟାଲ୍ କରିଡର ସଂପର୍କିତ ଅଧିବେଶନ ସାମିଲ ହେବ।

ସାମୁଦ୍ରିକ କ୍ଷେତ୍ରରେ ପରିବର୍ତ୍ତନର ଏକ ଦଶନ୍ଧି: ୨୦୧୪ ରୁ ୨୦୨୫
ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତିରେ ଅଗ୍ରଗତି କରୁଛି, ବନ୍ଦର, ଉପକୂଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳପଥରେ ରେକର୍ଡ ଭାଙ୍ଗିବା ସହିତ ଆର୍ଥିକ ଅଭିବୃଦ୍ଧିର ଏକ ନୂତନ ପଥ ପ୍ରସ୍ତୁତ କରୁଛି। ଏହି କ୍ଷେତ୍ରର ଅଗ୍ରଗତି ରାଷ୍ଟ୍ରକୁ ସୁଦୃଢ଼ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ପଷ୍ଟ କରୁଛି।

ଭାରତୀୟ ବନ୍ଦରଗୁଡ଼ିକର ଉଲ୍ଲେଖନୀୟ ଅଭିବୃଦ୍ଧି
• ଭାରତର ବନ୍ଦର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ମୋଟ ବନ୍ଦର କ୍ଷମତା ୧,୪୦୦ ନିୟୁତ ମେଟ୍ରିକ୍ ଟନରୁ ଦ୍ୱିଗୁଣିତ ହୋଇ ୨,୭୬୨ ନିୟୁତ ମେଟ୍ରିକ୍ ଟନ୍ ହୋଇଛି। ଏହି କ୍ଷମତା ବୃଦ୍ଧି ଆଧୁନିକୀକରଣ ଏବଂ ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ପ୍ରତିଫଳିତ କରେ।
• ବନ୍ଦରଗୁଡ଼ିକରେ ପଣ୍ୟଦ୍ରବ୍ୟ ପରିଚାଳନା ପରିମାଣ ମଧ୍ୟ ୯୭୨ ନିୟୁତ ମେଟ୍ରିକ୍ ଟନରୁ ୧,୫୯୪ ନିୟୁତ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି। ଏହା ସାମୁଦ୍ରିକ ବାଣିଜ୍ୟ ଏବଂ ବନ୍ଦର ଦକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିକୁ ସୂଚାଉଛି। ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୪-୨୫ ରେ ୮୫୫ ନିୟୁତ ଟନ୍ ମାଲ ପରିଚାଳନା କରିବାକୁ ଆକଳନ କରାଯାଇଛି, ଯାହା ୨୦୨୩-୨୪ ରେ କେବଳ ୮୧୯ ନିୟୁତ ଟନ୍ ଥିଲା।
• ବନ୍ଦରଗୁଡ଼ିକର ପରିଚାଳନାଗତ ପ୍ରଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ହାରାହାରି ଜାହାଜ ଟର୍ନଆରାଉଣ୍ଡ ସମୟ ୯୩ ଘଣ୍ଟାରୁ ମାତ୍ର ୪୮ ଘଣ୍ଟାକୁ ହ୍ରାସ ପାଇଛି। ଏହା ସାମଗ୍ରିକ ଉତ୍ପାଦକତା ଏବଂ ବିଶ୍ୱ ପ୍ରତିଯୋଗିତାମୂଳକତାକୁ ବୃଦ୍ଧି କରିଛି।
• ଏହି କ୍ଷେତ୍ରର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ବାର୍ଷିକ ନିଟ୍ ବଳକା ୧,୦୨୬ କୋଟି ଟଙ୍କାରୁ ୯,୩୫୨ କୋଟି ଟଙ୍କାକୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ଉନ୍ନତ ରାଜସ୍ୱ ଉତ୍ପାଦନ ଏବଂ ଖର୍ଚ୍ଚ ପରିଚାଳନାକୁ ପ୍ରତିଫଳିତ କରେ।
• ଦକ୍ଷତା ସୂଚକଗୁଡ଼ିକ ମଧ୍ୟ ଉନ୍ମତ ହୋଇଛି। ପରିଚାଳନା ଅନୁପାତ, ଯାହା ୭୩ ପ୍ରତିଶତରୁ ୪୩ ପ୍ରତିଶତକୁ ଉନ୍ନତ ହୋଇଛି, ସ୍ଥାୟୀ ଏବଂ ଲାଭଦାୟକ ବନ୍ଦର ପରିଚାଳନା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ଭାରତୀୟ ସିପିଂରେ ଜାହଜ ସଂଖ୍ୟା, କ୍ଷମତା ଏବଂ କର୍ମଚାରୀ ସଂଖ୍ୟା ବୃଦ୍ଧି
ଭାରତର ସିପିଂ କ୍ଷେତ୍ର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଭାରତୀୟ ପତାକାଯୁକ୍ତ ଜାହାଜର ସଂଖ୍ୟା ୧,୨୦୫ ରୁ ୧,୫୪୯ କୁ ବୃଦ୍ଧି ପାଇଛି, ଯାହା ଦେଶର ବୃଦ୍ଧିପାଇଚାଲିଥିବା ସାମୁଦ୍ରିକ ଉପସ୍ଥିତିକୁ ପ୍ରତିଫଳିତ କରେ। ଭାରତୀୟ ନୌବାହନର ମୋଟ ଟନେଜ୍ ମଧ୍ୟ ୧୦ ନିୟୁତ ମୋଟ ଟନରୁ ୧୩.୫୨ ନିୟୁତ ମୋଟ ଟନକୁ ବୃଦ୍ଧି ପାଇଛି, ଯାହା ଏକ ଶକ୍ତିଶାଳୀ ଏବଂ ଅଧିକ ଦକ୍ଷ ପରିବହନ କ୍ଷମତାକୁ ପ୍ରତିଫଳିତ କରେ। ଉପକୂଳ ସିପିଂରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି, ପଣ୍ୟଦ୍ରବ୍ୟ ପରିଚାଳନା ୮୭ ନିୟୁତ ମେଟ୍ରିକ୍ ଟନରୁ ୧୬୫ ନିୟୁତ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି। ଏହା ଦକ୍ଷ, ମିତବ୍ୟୟୀ ଏବଂ ପରିବେଶ ଅନୁକୂଳ ପରିବହନ ମୋଡ୍ ଆଡକୁ ପରିବର୍ତ୍ତନକୁ ଦୃଢ଼ କରେ।

ଭାରତର ଆଭ୍ୟନ୍ତରୀଣ ଜଳପଥର ବିକାଶ
ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (ଆଇଡବ୍ଲୁଏଆଇ) ୨୦୨୫ ମସିହାରେ ୧୪୬ ନିୟୁତ ମେଟ୍ରିକ୍ ଟନ୍ ରେକର୍ଡ ପଣ୍ୟଦ୍ରବ୍ୟ ପରିବହନ ଯୋଜନା କରିଛି। ଏହା ଆଭ୍ୟନ୍ତରୀଣ ଜଳ ପରିବହନ କ୍ଷେତ୍ର ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। ୧୫ ଏହି ଅଭିବୃଦ୍ଧି ୨୦୧୪ ମସିହାରେ ୧୮ ନିୟୁତ ମେଟ୍ରିକ୍ ଟନ୍ ତୁଳନାରେ ୭୧୦ ପ୍ରତିଶତ ବୃଦ୍ଧିକୁ ପ୍ରତିନିଧିତ୍ୱ କରେ। ଏବେ କାର୍ଯ୍ୟକ୍ଷମ ଜଳପଥ ସଂଖ୍ୟା ୩ରୁ ୨୯କୁ ବୃଦ୍ଧି ପାଇଛି, ଯାହା ଭାରତର ଆଭ୍ୟନ୍ତରୀଣ ପରିବହନ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ଦର୍ଶାଉଛି। ଯାତ୍ରୀବାହୀ ଜାହାଜ ଏବଂ ରୋ-ପାକ୍ସ (ଯାତ୍ରୀ ଏବଂ ଯାନବାହନ ପରିବହନ କରୁଥିବା ଯାନ)ର ଲୋକପ୍ରିୟତାରେ ଯଥେଷ୍ଟ ବୃଦ୍ଧି ପାଇଛି । ଏହା ମାଧ୍ୟମରେ ୨୦୨୪-୨୫ରେ ୭୫ ନିୟୁତରୁ ଅଧିକ ଯାତ୍ରୀ ପରିବହନ କରିଛନ୍ତି।
ମାତ୍ର ଏକ ଦଶନ୍ଧି ମଧ୍ୟରେ, ଭାରତରେ ସାମୁଦ୍ରିକ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୧.୨୫ ଲକ୍ଷରୁ ବୃଦ୍ଧି ପାଇ ୩ ଲକ୍ଷ ଟପିଯାଇଛି, ଯାହା ବର୍ତ୍ତମାନ ବିଶ୍ୱ ସାମୁଦ୍ରିକ କର୍ମଚାରୀଙ୍କ ୧୨ ପ୍ରତିଶତ ଅଟେ। ୨୦ ଦେଶ ଏବେ ପ୍ରଶିକ୍ଷିତ ନାବିକମାନଙ୍କର ବିଶ୍ୱର ତିନୋଟି ଶ୍ରେଷ୍ଠ ଯୋଗାଣକାରୀ ଦେଶ ମଧ୍ୟରୁ ଗୋଟିଏ ହୋଇସାରିଛି ।

ସାମୁଦ୍ରିକ ପରିବହନର ବିକାଶ ପାଇଁ ନିବେଶ: ପ୍ରେତ୍ସାହନ ଏବଂ ନବସୃଜନ
ଏମଆଇଭି ୨୦୩୦ ମାଧ୍ୟମରେ ବନ୍ଦର, ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳପଥରେ ମୋଟ ୩-୩.୫ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରାଯାଉଛି । ଜାହାଜ ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସାମୁଦ୍ରିକ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ପାଇଁ ନିକଟରେ ୬୯,୭୨୫ କୋଟି ଟଙ୍କାର ଐତିହାସିକ ପ୍ୟାକେଜ୍ ଘୋଷଣା ହୋଇଛି ।
୨୫,୦୦୦ କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି (ଏମଡିଏଫ) ଭାରତର ଜାହାଜ ଚଳାଚଳ କ୍ଷମତା ଏବଂ ଜାହାଜ ନିର୍ମାଣ କ୍ଷମତାକୁ ବିସ୍ତାର କରିବା ପାଇଁ ଦୀର୍ଘକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବ। ଏହା ବ୍ୟତୀତ ୨୪,୭୩୬ କୋଟି ବ୍ୟୟ ଅଟକଳ ବିଶିଷ୍ଟ ସଂଶୋଧିତ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା (ଏସବିଏଫଏଏସ) ଘରୋଇ ଖର୍ଚ୍ଚ-ସମ୍ବନ୍ଧୀୟ ଅସୁବିଧାକୁ ସମାଧାନ କରିବା ଏବଂ ଜାହାଜ ଭାଙ୍ଗିବା ଶିଳ୍ପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି । ପୁଣି ୧୯,୯୮୯ କୋଟି ଟଙ୍କାର ବ୍ୟୟ ଅଟକଳ ସହ ଜାହାଜ ନିର୍ମାଣ ବିକାଶ ଯୋଜନା (ଏସବିଡିଏସ) ସବୁଜ କ୍ଷେତ୍ର କ୍ଲଷ୍ଟର, ୟାର୍ଡ ସମ୍ପ୍ରସାରଣ ଏବଂ ରିସ୍କ କଭରେଜକୁ ପ୍ରେତ୍ସାହିତ କରେ। ଏହା ବ୍ୟତୀତ, ୩୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଶାଖାପାଟଣାରେ ଭାରତୀୟ ଜାହାଜ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଆଇଏସଟିସି) ଜାହାଜ ଡିଜାଇନ୍, ଗବେଷଣା ଏବଂ ବିକାଶ, ଇଞ୍ଜିନିୟରିଂ ଏବଂ ଦକ୍ଷତା ବିକାଶ ପାଇଁ ଏକ ଜାତୀୟ କେନ୍ଦ୍ର ଭାବରେ ଉଭା ହେବ।
ଉତ୍ତର-ପୂର୍ବ ଭାରତରେ ଆଭ୍ୟନ୍ତରୀଣ ଜଳପଥ ଭିତ୍ତିଭୂମି ବିକାଶରେ ୧,୦୦୦ କୋଟିରୁ ଅଧିକ ନିବେଶ କରାଯାଇଛି, ଯାହା ଦେଶର ନଦୀ ନେଟୱାର୍କ ମାଧ୍ୟମରେ ପରିବହନ ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମଧ୍ୟରୁ ୩୦୦ କୋଟି ଟଙ୍କାର ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି ଓ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଖୁବଶୀଘ୍ର ସଂପୂର୍ଣ୍ଣ ହେବ । ଏସବୁ ପ୍ରକଳ୍ପ ଏହି ଅଞ୍ଚଳରେ ପରିବହନ ଏବଂ ଆଞ୍ଚଳିକ ବାଣିଜ୍ୟକୁ ବୃଦ୍ଧି କରିବ। ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବଡ଼ ପରିମାଣରେ ଆଣିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଆସାମର ନଦୀ ପର୍ଯ୍ୟଟନକୁ ପ୍ରେତ୍ସାହିତ କରାଯିବ । ୨୦୨୭ ମସିହାରୁ ବ୍ରହ୍ମପୁତ୍ର ନଦୀରେ କ୍ରୁଜ ଜାହାଜ ଚଳାଇବାକୁ ଯୋଜନା କରାଯାଉଛି ।
ସାଗରମାଳା କାର୍ଯ୍ୟକ୍ରମ ଭାରତକୁ ଏକ ବିଶ୍ୱ ସାମୁଦ୍ରିକ ହବରେ ପରିଣତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ। ଏହା ସାମୁଦ୍ରିକ ଭାରତ ଭିଜନ ୨୦୩୦ ଏବଂ ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣ ୨୦୪୭ର ଏକ ପ୍ରମୁଖ ସ୍ତମ୍ଭ। ଏହି କାର୍ଯ୍ୟକ୍ରମ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ, ବାଣିଜ୍ୟ ଦକ୍ଷତା ବୃଦ୍ଧି ଏବଂ ଏକ ପରିବେଶ ଅନୁକୂଳ ପରିବହନ ନେଟୱାର୍କ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରେ। ୨୦୩୫ ମସିହା ସୁଦ୍ଧା ଏହା ଅଧୀନରେ, ୫.୮ ଲକ୍ଷ କୋଟି ଟଙ୍କାର ୮୪୦ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ଯାହା ମଧ୍ୟରୁ ୧.୪୧ ଲକ୍ଷ କୋଟି ଟଙ୍କାର ୨୭୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ୧.୬୫ ଲକ୍ଷ କୋଟି ଟଙ୍କାର ୨୧୭ଟି ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି।

ଭବିଷ୍ୟତ ପାଇଁ ଯୋଜନା

ଭାରତର ସାମୁଦ୍ରିକ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଦଶନ୍ଧିରେ ପ୍ରବେଶ କରୁଛି । ସାମୁଦ୍ରିକ ଭିଜନ ୨୦୩୦କୁ ଆକାର ଦେଉଛି ନୂତନ ଆଇନ, ବିଭିନ୍ନ ମେଗା ପ୍ରକଳ୍ପ ଏବଂ ଅନ୍ତର୍ଜାତୀୟ ନିବେଶ । ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ନବସୃଜନକୁ ଗୁରୁତ୍ୱ ଦେଇ, ଭାରତ କେବଳ ଏହାର ବାଣିଜ୍ୟ ଚାହିଦା ପୂରଣ କରିବା ପାଇଁ ନୁହେଁ ବରଂ ଏକ ସାମୁଦ୍ରିକ ନେତା ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ, ସାମୁଦ୍ରିକ ଅମୃତ କାଳ ଭିଜନ ୨୦୪୭ ପ୍ରସ୍ତୁତ କରାଯାଉଛି, ଯାହା ମାଧ୍ୟମରେ ଭାରତର ସାମୁଦ୍ରିକ ପୁନରୁତ୍ଥାନ ପାଇଁ ଏକ ଦୀର୍ଘକାଳୀନ ରୋଡମ୍ୟାପ୍ ପ୍ରସ୍ତୁତ ହେଉଛି। ଏଥିରେ ଅନ୍ତର୍ଭୁକ୍ତ ବନ୍ଦର, ଉପକୂଳ ଜାହାଜ ଚଳାଚଳ, ଆଭ୍ୟନ୍ତରୀଣ ଜଳପଥ, ଜାହାଜ ନିର୍ମାଣ ଏବଂ ସବୁଜ ଜାହାଜ ପରିବହନ ଆଦି ପ୍ରକଳ୍ପ ପାଇଁ ପ୍ରାୟ ୮୦ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି ।
ଗତ ସେପ୍ଟମ୍ବରରେ ଅନୁଷ୍ଠିତ “ସମୁଦ୍ର ସେ ସମୃଦ୍ଧି – ଭାରତର ସାମୁଦ୍ରିକ କ୍ଷେତ୍ରର ପରିବର୍ତ୍ତନ” ପ୍ରୟାସ ସମୟରେ ୨୭ ଟି ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରାଯାଇଥିଲା । ଏହା ୬୬,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ଭାବନାକୁ ଉନ୍ମୋଚନ କରିଥିଲା ଏବଂ ୧.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ଏହି ଚୁକ୍ତିନାମାଗୁଡ଼ିକ ବନ୍ଦର ଭିତ୍ତିଭୂମି, ଜାହାଜ ଚଳାଚଳ, ଜାହାଜ ନିର୍ମାଣ, ସ୍ଥାୟୀ ଗତିଶୀଳତା, ଆର୍ଥିକ ଏବଂ ଐତିହ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ ।
ଏହି ସମ୍ମିଳନୀରେ ଘୋଷିତ ଉଲ୍ଲେଖନୀୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶାର ବାହୁଡାରେ ବାର୍ଷିକ ୧୫୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଗ୍ରୀନଫିଲ୍ଡ ବନ୍ଦର । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୧,୫୦୦ କୋଟି ବ୍ୟୟ ହେବ । ସେହିପରି ପାଟନାରେ ଇଲେକ୍ଟ୍ରିକ ବୋଟ ବ୍ୟବହାର କରି ଓ୍ବାଟର ମେଟ୍ରୋ ପ୍ରକଳ୍ପ ମଧ୍ୟରେ ଏହି ଅବସରରେ ଘୋଷଣା କରାଯାଇଥିଲା ।

ସ୍ବପ୍ନରୁ ବାସ୍ତବତା ପର୍ଯ୍ୟନ୍ତ
ସାମୁଦ୍ରିକ ଭାରତ ଭିଜନ ୨୦୩୦ ମାଧ୍ୟମରେ ଭାରତ କେବଳ ବନ୍ଦର ନିର୍ମାଣ କରୁନାହିଁ, ବରଂ ଭବିଷ୍ୟତ ନିର୍ମାଣ କରୁଛି। ଏହା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି, ଦକ୍ଷତା ଏବଂ ସ୍ଥାୟୀ ବିକାଶ ସହିତ ସଶକ୍ତ କରୁଛି। ଭାରତ ପାଇଁ ଏକ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ନେତୃତ୍ବ ନେବାର ସମୟ ଆସିଛି । ବିଶ୍ୱର ତୈଳ ଏବଂ ମାଲବାହୀ ଜାହାଜସମୂହ ମଧ୍ୟରେ, ଭାରତ ଏକ ଯାତ୍ରୀ ଭାବରେ ନୁହେଁ, ବରଂ ଭବିଷ୍ୟତର ନାବିକ ଭାବରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ସ୍ଥିର କରିଛି। ସାମୁଦ୍ରିକ ଅମୃତ କାଳ ଭିଜନ ୨୦୪୭ ଏହି ଯାତ୍ରାକୁ ଆହୁରି ଆଗକୁ ବଢ଼ାଏ। ବିଶ୍ୱ ଏକ ସୁଦୃଢ଼ ଯୋଗାଣ ଶୃଙ୍ଖଳ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଉଥିବାବେଳେ, ଭାରତର ସାମୁଦ୍ରିକ କ୍ଷେତ୍ର କେବଳ ଜାତୀୟ ସ୍ୱାର୍ଥ ସାଧନ ନୁହେଁ ବରଂ ଆଗାମୀ ଦଶନ୍ଧିଗୁଡ଼ିକରେ ବିଶ୍ୱ ବାଣିଜ୍ୟର ଦିଗକୁ ମଧ୍ୟ ଆକାର ଦେବା ପାଇଁ ପ୍ରସ୍ତୁତ ।

Leave A Reply

Your email address will not be published.