ମହାକୁମ୍ଭ ୨୦୨୫ : ମୌନି ଅମାବାସ୍ୟାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୧୦୦୦ରୁ ଅଧିକ ମେଡିକାଲ କର୍ମଚାରୀ ନିୟୋଜିତ; ମହାକୁମ୍ଭ ନଗରସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲରେ ୩୦୦ ବିଶେଷଜ୍ଞ ଡାକ୍ତର ମୁତୟନ
- କ୍ଷୁଦ୍ର ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ହେଉଥିବା ବଡ଼ ଅସ୍ତ୍ରୋପଚାର ପାଇଁ ହାଇଟେକ୍ ବ୍ୟବସ୍ଥା; ମହାକୁମ୍ଭ ନଗରରେ ୨.୫ ଲକ୍ଷରୁ ଅଧିକ ପାଥୋଲୋଜି ପରୀକ୍ଷା ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ରୋଗୀ ଓପିଡି ସେବା ପାଇସାରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ମୌନି ଅମାବାସ୍ୟା ପବିତ୍ର ଅବସରରେ ଉତ୍ତରପ୍ରଦେଶ ସରକାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମହାକୁମ୍ଭ ନଗରରେ ୧୦୦୦ରୁ ଅଧିକ ଡାକ୍ତରୀ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ମହକୁମ୍ଭର ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି, ଯେଉଁଥିରେ ଛୋଟ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ବଡ଼ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଛି । ମହାକୁମ୍ଭ ନଗରରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ୩୦୦ ବିଶେଷଜ୍ଞ ଡାକ୍ତର ମୁତୟନ କରାଯାଇଛି, ଯେଉଁମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ଓପିଡି ସେବାରୁ ୨ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଥିବା ବେଳେ ଅଢ଼େଇ ଲକ୍ଷରୁ ଅଧିକ ପାଥୋଲୋଜି ପରୀକ୍ଷା କରାଯାଇଛି ।
ସହଜରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା
ମହାକୁମ୍ଭ ମେଳାର ନୋଡାଲ ମେଡିକାଲ ଅଫିସର ଡାକ୍ତର ଗୌରବ ଦୁବେ କହିଛନ୍ତି ଯେ ମହାକୁମ୍ଭ ନଗରରେ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ଚିକିତ୍ସା ସେବା ପାଉଛନ୍ତି । ମେଳାକୁ ସୁରକ୍ଷିତ ଓ ସୁସ୍ଥ କରିବା ପାଇଁ ସରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ସମସ୍ତ ସମ୍ଭବ ପଦକ୍ଷେପ ନେଇଛନ୍ତି । ଏହାବ୍ୟତୀତ ସରକାରଙ୍କ ସହଯୋଗରେ ମଠ, ମନ୍ଦିର ଓ ଆଖଡ଼ାର ସାଧୁସନ୍ଥମାନେ ମଧ୍ୟ ଭକ୍ତଙ୍କୁ ଔଷଧ ଓ ଡାକ୍ତରୀ ପରୀକ୍ଷାରେ ସାହାଯ୍ୟ କରୁଛନ୍ତି । ଏହି ସାଧୁମାନେ ବିଭିନ୍ନ ଶିବିର ଆୟୋଜନ କରୁଛନ୍ତି, ଯାହା ମାଧ୍ୟମରେ ଭକ୍ତମାନଙ୍କୁ ଆୟୁର୍ବେଦିକ, ହୋମିଓପ୍ୟାଥିକ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି ।