om academy

ଛତ୍ରପୁର ପଞ୍ଚାୟତ ସ୍ତରୀୟ ପ୍ରତିନିଧିଙ୍କୁ ନେଇ ଆମ ପୋଲିସ ସମିତିର ଜନ ସମ୍ପର୍କ ମଞ୍ଚ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଦର୍ଶ ଥାନା ତଥା ଆମ ପୁଲିସ୍ ସମିତି ଆନୁକୂଲ୍ୟରେ ସ୍ଥାନୀୟ ଶିବ କୁମାର ରିଡିଂ ରୁମ୍ ସେମିନାର ହଲରେ ପୋଲିସ ଜନସମ୍ପର୍କ ମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିନରେ ଥିବା ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଆଇନ ଶୃଙ୍ଖଳା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଂଗଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ସଭାପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଗଞ୍ଜାମ ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଯୋଗଦେଇ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହେବ ସେଥି ନିମନ୍ତେ ଗ୍ରାମ୍ୟ ଜନପ୍ରତିନିଧିଙ୍କ ସହ ଆଇନ ଶୃଙ୍ଖଳା ନୀତି କିପରି ସୂଚାରୁ ରୂପେ ସମ୍ପାଦିତ ହେବ ସେନେଇ ସଚେତନତା ଆଳାପ ହୋଇଥିଲା । ଏତଦ୍‌ ବ୍ୟତୀତ ପାର୍ବଣଋତୁରେ ଗ୍ରାମାଞ୍ଚଳରେ ଜୁଆ ଆଡା, ବେଆଇନ ମଦ ବିକ୍ରୀ, ଜୋର ଜବରଦସ୍ତ ଚାନ୍ଦା ଆଦାୟ, ଦାଦାବଟି ଭଳି ଅନେକ ଗଣ୍ଡଗୋଳ, ଅସାମାଜିକ ଲୋକଙ୍କ ଦୋରାତ୍ମ୍ୟ ଆଦି ବିଶୃଙ୍ଖଳାକୁ ଏଡ଼ାଇବା ନିମନ୍ତେ ଗ୍ରାମ୍ୟ ଜନ ପ୍ରତିନିଧିମାନେ ଆଲୋଚନାର କେନ୍ଦ୍ରୀଭୂତ କରିଥିଲେ । ଏହାକୁ ନେଇ ଛତ୍ରପୁର ଥାନା ଅଧିକାରୀ ଶ୍ରୀ ପ୍ରଧାନ ଏବଂ ଅତିରିକ୍ତ ଏସ୍‌ପି ଶ୍ରୀ ଠାକୁର ଆଲୋଚନାର ମୁକାବିଲା କରିଥିଲେ । ପୂଜା ପାର୍ବଣ ସମୟରେ କୋଭିଡ୍ କଟକଣାରେ ପାଳନ କରାଯିବା ନିମନ୍ତେ ପୋଲିସ କର୍ତ୍ତୃପକ୍ଷ ସହଯୋଗ କାମନା କରିଥିଲେ । ଗ୍ରାମାଞ୍ଚଳରେ ଚୋରାମଦ କାରାବାର, ଜୁଆ ଖେଳ, ଅସାମାଜିକ କାର୍ଯ୍ୟକଳାପକୁ ଯେପରି ରୋକା ଯାଇପାରିବ ସେଥି ନିମନ୍ତେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସହଯୋଗ କରିବା ପାଇଁ କହିବା ସହ ପୁଲିସ ଓ ପିଆର୍‌ଆଇ ମେମ୍ବରମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ରକ୍ଷା କରିବା ନିମନ୍ତେ ଅନୁରୋଧ କରିଥିଲେ । ପଞ୍ଚାୟତଗୁଡିକରେ ସିସି କ୍ୟାମେରା ଲଗାଇବା ଉପରେ ଥାନା ଅଧିକାରୀ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ବହୁ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇ ପୁଲିସର ଏଭଳି ଆଗୁଆ ସଚେତନମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଥାନା ଅଧିନସ୍ଥ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ସବଇନସିପେକ୍ଟର ସତ୍ୟଜିତ୍ ବେଣିଆ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଥାନାର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.