- ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସଂଧ୍ୟା
- ସାଂପ୍ରତିକ ପରିସ୍ଥିତିରେ ପାଠକୀୟ ଅଭିରୂଚି ସଂପର୍କରେ ଆଲୋଚନା
ବଲାଙ୍ଗିର, (କେପିଏନ୍ଏସ୍) : ସରସ୍ଵତୀ, ଶାରଦାଙ୍କ ଆଶୀର୍ବାଦ ସବୁ କାଳରେ ମଣିଷ ସମାଜ ପାଇଁ ରହିଛି । ସେଇ ସୃଜନଶୀଳ ଚେତନା ମଣିଷର ଚେତନାକୁ ଆନ୍ଦୋଳିତ କରେ । ମାନସିକତାରେ ପରିବର୍ତ୍ତନ ଆସିଲେ ସମସ୍ତଙ୍କର ଜୀବନ ନୂତନ ଧାରା ଆଡକୁ ଆଗେଇଯାଏ । ଆଲୋକର ଚେତନା ଜଗତର ଆଗାମୀକୁ ଆଲୋକିତ କରେ ବୋଲି ମତ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସଂଧ୍ୟାର ବରେଣ୍ୟ ଅତିଥି ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦଗାତା । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଂଧ୍ୟାକାଳୀନ ସଭାରେ ବରେଣ୍ୟ ଅତିଥି ଭାବରେ ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦଗାତା, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଜିଲ୍ଲା ଲେଖକ ପରିଷଦର ଉପସଭାପତି ମୂରଲୀଧାରୀ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଲେଖକ ପରିଷଦର ଉପସଭାପତି ଦେବେନ୍ଦ୍ର ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବରେଣ୍ୟ ଅତିଥି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ରାଜ୍ୟ ସରକାରଙ୍କ ପୁସ୍ତକ ମେଳା ଯୋଜନାକୁ ପ୍ରଶଂସା କରି ପାଠକ ଓ ଲେଖକ ମଧ୍ୟରେ ପୁସ୍ତକ ଏକ ଯୋଗାଯୋଗର ସେତୁ ବୋଲି କହିଥିଲେ । ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସାଂପ୍ରତିକ ପରିସ୍ଥିତିରେ ପାଠକୀୟ ଅଭିରୂଚି ବିଷୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପ୍ରେମଚାନ୍ଦ ମହାନ୍ତି ଓ ବିଭୁକଲ୍ୟାଣ ଗଡତିଆ ନିଜର ମତ ଉପସ୍ଥାପନ କରିଥିଲେ ।
ପରେ ଆଶ୍ମି ମିଶ୍ରଙ୍କ ଲୋକନୃତ୍ୟ, ଲିଟିଲ ଫ୍ଲାୱାର, ସ୍କୁଲର ଲୋକନୃତ୍ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋକନୃତ୍ୟ ଓ ଗଂଜାମର ଯୋଡିଶଂଖ ପରିବେଷଣ କରାଯାଇଥିଲା । ରିଙ୍କି ତ୍ରିପାଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।