ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନମୁନା ପଞ୍ଜିକରଣ ପଦ୍ଧତି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାର ୪୦ ଜଣ ସାମୟିକ ଗଣନାକାରୀମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଙ୍ଗ୍ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରିଫ୍ରେସର ଟ୍ରେନିଂରେ ଗଞ୍ଜାମ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପଦ୍ମିନୀ ସାହୁ, ଗଜପତି ଜିଲ୍ଲାର ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏମ.କେ. ଭୂୟାଁ ଏବଂ ଜନଗଣନା ନିର୍ଦ୍ଦେଶାଳୟ ଓଡିଶାର ପରିସଂଖ୍ୟାନ ଅନୁସନ୍ଧାନକାରୀ ପ୍ରଦୀପ କୁମାର ମହାକୁଡ଼, ସଂଜୟ କୁମାର ଦାଶ, ଅକ୍ଷୟ କୁମାର ନାୟକ, ଦତ୍ତି ରମେଶ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ଅଧିକାରୀ ଭାରତବର୍ଷର ଜନଗଣନା ଓ ନମୁନା ପଞ୍ଜିକରଣର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ଏବଂ ଓଡିଶା ନମୁନା ପଞ୍ଜିକରଣ ମାଧ୍ୟମ ରେ ଜନ୍ମହାର, ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର ଆକଳନ ପ୍ରଦାନ କରିବା ଆଦି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା କାର୍ଯ୍ୟାଳୟର ସେକ୍ସନ ଅଫିସର ପ୍ରଦୀପ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।