ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଗଜନ୍ମା ଗୁରୁ ବିବେକାନନ୍ଦଙ୍କ ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା । ଏହି ସଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଭାପତି ଡ. ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ମୁଖ୍ୟବକ୍ତା ଭାବରେ ପ୍ରବଚକ ବଂଶୀଧର ଦାନୀ, ଅତିଥି ଭାବରେ କବୟିତ୍ରୀ ତଥା ଉପସଭାପତି ଅଘରିଆ ସମାଜ ବଲାଙ୍ଗିର ଲିଲି ପଟେଲ, ପରିଷଦର ସଚିବ ରାମଚନ୍ଦ୍ର ପଟେଲ ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ସଚୀବ ରାମଚନ୍ଦ୍ର ପଟେଲ ସଭାପତିଙ୍କ ଆମନ୍ତ୍ରଣ କ୍ରମେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସଭାକୁ ଅବଗତ କରାଇଥିଲେ । ଭାରତୀୟ ଧର୍ମ ଓ ଦର୍ଶନ, ସଂସ୍କୃତି, ସଭ୍ୟତା ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ । ବକ୍ତା ବଂଶୀଧର ଦାନୀ ବିବେକାନନ୍ଦଙ୍କୁ ଭାରତ ରତ୍ନ ବୋଲି କହିଥିଲେ । ବିବେକାନନ୍ଦ ହିନ୍ଦୁଧର୍ମର ବିଶ୍ୱ ପ୍ରବଚକ ଓ ପ୍ରଚାରକ, ବକ୍ତା ଥିଲେ ବୋଲି ମୁଖ୍ୟ ଅତିଥି ପରମାନନ୍ଦ ସରସ୍ୱତୀ ଅଭିମତ ରଖିଥିଲେ । ଅତିଥି ଲିଲି ପଟେଲ କବିତା ମାଧ୍ୟମରେ ବିବେକାନନ୍ଦଙ୍କ ଯଶୋଗାନ କରିଥିଲେ । ସଭାପତିଙ୍କ ସଂକ୍ଷିପ୍ତ ଅଭିଭାଷଣ ପରେ ସେ ଏକ କବିତା ପାଠ କରିଥିଲେ । ପରବର୍ତ୍ତୀ ସମୟରେ ବିବେକାନନ୍ଦଙ୍କ ଉପରେ ଏକ କବିତା ପଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ କସ୍ତୁରୀ ରଥ, ବଳିଷ୍ଠ ପଧାନ, ସନ୍ତୋଷ କୁମାର ନାଏକ, ଲିଲି ପଟେଲ, ହୃଷିକେଶ ପୁରୋହିତ, କୁମୁଦିନୀ ପୃଷ୍ଟି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପରିଶେଷରେ ପରିଷଦର କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ଧନ୍ୟବାଦ ପ୍ରସ୍ତାବ ଆଗତ ପରେ କୁମୁଦିନୀ ପୃଷ୍ଟି ଶାନ୍ତି ପାଠ କରିଥିଲେ ଓ ସଭା ସାଙ୍ଗ ହୋଇଥିଲା ।