‘ମାୟାଧର ମାନସିଂହଙ୍କ କାବ୍ୟ-କବିତାରେ ପ୍ରଣୟ ଚେତନା’ ଶୀର୍ଷକରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ମାୟାଧର ମାନସିଂହଙ୍କ କାବ୍ୟ-କବିତାରେ ପ୍ରଣୟ ଚେତନା’ ଶୀର୍ଷକ ଏକ ଆଲୋଚନାଚକ୍ର ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନାଚକ୍ରରେ ମାନସିଂହଙ୍କ ବିଭିନ୍ନ କାବ୍ୟକବିତାରେ ଦେହରୁ ଦେହାତୀତ ଓ ଇହରୁ ପାରାଲୌକିକ ପ୍ରେମ ଓ ପ୍ରଣୟ କିଭଳି ପ୍ରତିଫଳିତ ହୋଇଛି ତାହା ଆଲୋଚକମାନେ ଆଲୋଚନା କରିଥିଲେ । ଅତିଥି ବକ୍ତା ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟାପାଲି, ବରଗଡ଼ର ପ୍ରଧ୍ୟାପକ ଡ. ଭଗବତୀ କର ନିଜ ବକ୍ତବ୍ୟରେ ମାନସିଂହଙ୍କ ସାହିତ୍ୟ କୃତିରେ ନୈସର୍ଗିକ ପ୍ରେମ ଓ ପ୍ରଣୟର ଧାରା କିଭଳି ସଦା ଅନୁରଣିତ ତାହା ବୁଝାଇଥିଲେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ କବିଙ୍କ କାବ୍ୟକୃତିର ପ୍ରଭାବ କିଭଳି ମାନସିଂହ ତାଙ୍କ କବିତାରେ ମୌଳିକତା ରକ୍ଷାକରି ଫୁଟାଇ ପାରିଛନ୍ତି ବିଭିନ୍ନ ପଂକ୍ତିକୁ ଅବତାରଣା କରି ପିଲାଙ୍କୁ ଜଣାଇଥିଲେ । ମହାବିଦ୍ୟାଳୟର ଛାତ୍ର ଆଲୋକ ସେଠ୍ ଓ ସଚ୍ଚିନ ଦ୍ୱାରି ଆଲୋଚନାଚକ୍ରରେ ନିଜସ୍ଵ ପ୍ରବନ୍ଧ ପାଠ କରିଥିଲେ । ମହାବିଦ୍ୟାଳୟର ସହକାରୀ ପ୍ରଫେସର୍ ଡ. କୌତୁକ ପନ୍ଦରଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ସଭାପତିତ୍ଵ କରିଥିଲେ । ଏହି କ୍ରମରେ ବିଶ୍ଵ ହକି କପ୍-୨୦୨୩କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା । ଆଲୋଚନାଚକ୍ରରେ ଡ. ଅଶୋକ କୁମାର ମହାରଣା, ଡ. ରମଣୀ ନାଏକ, ଡ. ଅମୃତ ସିଂ ବରିହା, ବିଶ୍ୱଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଅମୃତା ମହାପାତ୍ର ଓ ଛାତ୍ରୀ ପ୍ରୀତି ପଟେଲ୍ ସାହାଯ୍ୟ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଏଥିରେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ହୃଷିକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!