ଓଡ଼ିଆ କାବ୍ୟକବିତାରେ ବସନ୍ତର ବାସ୍ନା ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ, ନଗର ଶାଖାର ସଭାପତି ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱ ତଥା ଅଧ୍ୟାପିକା ପ୍ରିୟଙ୍କା ପଲେଇଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଡ. ଶକ୍ତିପ୍ରସାଦ ସାମନ୍ତରାୟ ମୁଖ୍ୟ ଅତିଥି, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁଷମା ମୋଦୀ ସ୍ୱତନ୍ତ୍ର ଅତିଥି, ବିଷୟ ବିଶେଷଜ୍ଞ ଭାବେ ‘ସୁନାଫୁଲ’ ପତ୍ରିକାର ସମ୍ପାଦକ ସୁନିଲ କୁମାର ମହାନ୍ତି ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ କାବ୍ୟ-କବିତାରେ ବସନ୍ତର ବାସ୍ନା ସମ୍ପର୍କରେ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ବସନ୍ତ ହେଉଛି ସୌନ୍ଦର୍ଯ୍ୟ, ପ୍ରେମ-ପ୍ରଣୟ ଓ ଜୀବନ ଦର୍ଶନର ଦ୍ୟୋତକ। ବସନ୍ତ ହେଉଛି ଋତୁରାଜ । ଏହା ସହ ସେ ବିଭିନ୍ନ ପୁରାତନ ଓ ଆଧୁନିକ କବିଙ୍କ କବିତାରେ ବସନ୍ତ ବିଭୋର ରୂପଛଟାର ଉଦାହରଣ ଦେବା ସହ ଶୃଙ୍ଗାରର ପ୍ରକାର ଭେଦ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଡ. ସାମନ୍ତରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ, ବସ୍ତୁବାଦୀ ମଧ୍ୟରେ ଆମେ ବୁଡି ରହିଥିବା ବେଳେ ଆମଠାରୁ ସାହିତ୍ୟ ଓ ଆଧ୍ୟାତ୍ମିକତା ଦୂରେଇ ଯାଇଛି । ବସନ୍ତ ଓ ଜୀବନ ପରସ୍ପର ପରିପୂରକ । ସଭାପତିତ୍ୱ ଅଭିଭାଷଣରେ ଡ. ଜେନା ବସନ୍ତ ଋତୁର ସାହିତ୍ୟରେ ପ୍ରଭାବ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ବସନ୍ତ ଜୀବନ ସହ ଯୋଡ଼ି ହୋଇରହିଛି । ବସନ୍ତ ହେଉଛି ଆନନ୍ଦ ଉଲ୍ଲାସର ପ୍ରତୀକ ଯାହା ଲେଖକଙ୍କୁ ଲେଖିବା ପାଇଁ ପ୍ରେରିତ କରୁଛି । ଶାଖାର ସଭାପତି ଶିକ୍ଷାବିତ୍ ଶ୍ରୀ ଦାଶ କାର୍ଯ୍ୟକ୍ରମର ପ୍ରାକ୍ କଥନ ସହ ‘ମ୍ୟାଚିଂ’ ସମ୍ପର୍କରେ ଏକ ଅଣୁ ଗଳ୍ପ ପାଠ କରିଥିଲେ । ସେହିପରି ଗାଳ୍ପିକା କ୍ଷୀରେଶ୍ୱରୀ କିଷାନ ‘ବସନ୍ତ ବିଧୁର’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ସ୍ୱତନ୍ତ୍ର ଅତିଥି ଡ. ମୋଦୀ କାର୍ଯ୍ୟକ୍ରମର ଉପସଂହାର କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁମନ୍ତ ଉପାଧ୍ୟାୟ ସଭାପତିତ୍ୱ କରିଥିଲାବେଳେ କବି ନିରୁପମା ପତି ଓ ନଗର ଶାଖାର ସମ୍ପାଦିକା ଅଳକା ମହାନ୍ତିଙ୍କ ସଂଯୋଜନାରେ ସତ୍ୟବ୍ରତ ଦାସ, କୁଞ୍ଜବିହାରୀ ରାଉତ, ବ୍ରହ୍ମାନନ୍ଦ ପାଢ଼ୀ, ପ୍ରତାପ କୁମାର ପଣ୍ଡା, ଆରସୀ ସେନାପତି, ଶ୍ରୀଧର ସୁନା, ଆଶୁତୋଷ ଜ୍ୟୋତିଷୀ, ସଂଜୀବ ଭୋଇ, ପ୍ରତାପରୁଦ୍ର ତ୍ରିପାଠୀ, ମୋନାଲି କିଷାନ, ତ୍ରିଲୋଚନ ସ୍ୱାଇଁ, କରୁଣାକର ପାଟ୍ଟଶାଣୀ, ଗଙ୍ଗାଧର ପଣ୍ଡା, ସୁମନ୍ତ ଉପାଧ୍ୟାୟ, ନିରୁପମା ପତି ଓ ଅଳକା ମହାନ୍ତି ପ୍ରମୁଖ କବିତା ପାଠ କରିଥିଲାବେଳେ ଶେଷରେ ସହ-ସଂଗଠନ ସମ୍ପାଦକ ଗଙ୍ଗାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ରନାଥ ଦାଶ, ଜଗନ୍ନାଥ ରାଉତ, ସୁସ୍ମିତା ମହାପାତ୍ର, ପୂର୍ଣ୍ଣିମା ସାଏ, ରେଶ୍ମା କୁଜୁର, ମୀନାଦୁଲାରୀ ପଣ୍ଡା, ଭୂମିକା ସିଂ, ରିୟା ହାସିନା ଲାକ୍ରା, ଶିବାନୀ କେରକେଟା, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ପ୍ରତିମା କୁମାରୀ ପାତ୍ର, କୈଳାଶ ଚନ୍ଦ୍ର ମାହାଳି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.