ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ପ୍ରଗତି ପବ୍ଲିକ ସ୍କୁଲରେ ରାଉରକେଲା ଆସୋସିଏସନ୍ ଫର୍ ବାୟୋଜେନେସିସ ଅଫ ସାଇନ୍ସ ଆଣ୍ଡ ସ୍ପିରିଚୁଆଲିଟି (ରାବ୍ସ) ଏବଂ ବିଦ୍ୟାଳୟର ମିଳିତ ସହଯୋଗରେ “ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ” ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ବିଶ୍ଵ କଲ୍ୟାଣୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଇଂ. ଅଜିତ ମୋହନ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ପରିବେଶ ନୀତିଶାସ୍ତ୍ର ମାନବ ସମାଜର ନୈତିକ ଦାୟିତ୍ଵକୁ ସମଗ୍ର ପରିସ୍ଥିତିକୀୟ ବ୍ୟବସ୍ଥାର ସ୍ଥିରତା ପ୍ରତି ବ୍ୟାଖ୍ୟା କରେ । ରାବ୍ସର ସଭାପତି ପ୍ରଜାପତି ଷଡ଼ଙ୍ଗୀ ପାର୍ଥିବ ଜିନିଷ ପ୍ରତି ଅନିୟନ୍ତ୍ରିତ ଆଗ୍ରହ ଏବଂ ବିଶ୍ୱ ପରିବେଶ ଉପରେ ତାହାର ପ୍ରଭାବ ଉପରେ ନିଜର ମତ ଦେଇଥିଲେ । ରାବ୍ସର କାର୍ଯ୍ୟନିର୍ବାହୀ ସଭ୍ୟ ଡ. ଶ୍ୟାମ ପ୍ରସାଦ ସ୍ୱାଇଁ ତାଙ୍କର ବକ୍ତବ୍ୟରେ ଇକୋ କ୍ରିଟିସିଜମ, ଇକୋ ଫେମିନିଜମ, ଇକୋ ସେନଟିଜିମ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ସେହିଭଳି ରାବ୍ସର କୋଷାଧ୍ୟକ୍ଷ ଶରତ ପାଣିଗ୍ରାହୀ ତାଙ୍କର ଅଭିଭାଷଣରେ ଚିପକୋ ଆନ୍ଦୋଳନ, ନର୍ମଦା ବଚାଓ ଭଳି ଉଲ୍ଲେଖନୀୟ ଘଟଣାବଳୀର ଉଦାହରଣ ଦେଇ କହିଲେ ଯେ, ପରିବେଶକୁ ନୀତିଗତ ଭାବରେ ରକ୍ଷା କରି ଜୀବନକୁ ବଞ୍ଚାଇବା ମାନବୀୟ କର୍ତ୍ତବ୍ୟ । ତାପରେ ରାବ୍ସର ସାଧାରଣ ସମ୍ପାଦକ ଡ.ପୂର୍ଣ୍ଣ ପ୍ରଧାନ ନିଜର ଭାବପୂର୍ଣ୍ଣ ଭାଷଣରେ ବିବର୍ତ୍ତନ ମାଧ୍ୟମରେ ପରିବେଶ ସହିତ ସହଯୋଗ ଓ ସଂଗତି କିଭଳି ଜୀବନକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଡ଼କୁ ଆଗେଇ ନେଇଥାଏ, ତା ଉପରେ ଆଲୋକପାତ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଜିତିଥିବା ପ୍ରତିଦ୍ୱନ୍ଦୀ ଛାତ୍ରଛାତ୍ରୀମାନଙ୍କର ସୁନ୍ଦର ଭାଷଣ ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ଥିଲେ ସପ୍ତମ ଶ୍ରେଣୀର ଅନିଷ୍କା ନାୟକ, ଆଶୁତୋଷ ସାମଲ, ନବମ ଶ୍ରେଣୀର ଆରୁଷି ନନ୍ଦ, ସାଇ ଲକ୍ଷ୍ମୀ ପ୍ରଧାନ, ତମନ୍ନା ଦାସ ଓ ଦଶମ ଶ୍ରେଣୀର ଗୌତମ ନାୟକ । ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ସରିତା ଶର୍ମା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଲିସା କରଣ ଧନ୍ୟବାଦ ଅର୍ପଣ କରିଥିଲେ ।