ବଲାଙ୍ଗିର ଦିନ୍ ଆଲୋଚନାଚକ୍ର ‘ମୋର ବଲାଙ୍ଗିର’

  • ଶିକ୍ଷା ବିକାଶ ହିଁ ମୋର ବଲାଙ୍ଗିରକୁ ବିକଶିତ କରିବ- ନରସିଂହ
  • ରାଜତନ୍ତ୍ରରେ ମୌଳିକ ଅଧିକାର ବୋଲି କିଛି ନଥିଲା – ଐତିହାସିକ ଶିବ ନନ୍ଦ
  • ସଂସ୍କୃତି ଓ ସାମାଜିକ ସ୍ତରରେ ଇତିହାସ ସମୃଦ୍ଧ କିନ୍ତୁ ବଲାଙ୍ଗିରରେ ବୀରତ୍ୱର ଇତିହାସ ନାହିଁ – ମନୋରଂଜନ
  • ରତ୍ନ ଗର୍ଭା ପର୍ବତମାଳା ଉପରେ ଦାନବ ମାନଙ୍କ ଦୃଷ୍ଟି ପଡିଛି – ଘାସିରାମ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅତିତରେ ଗଡଜାତ ସମୟରେ ବଲାଙ୍ଗିର ଜିଲ୍ଲାର ଭୌଗଳିକ ପରିସର ବୃହତ ଓ ବ୍ୟାପକ ଥିଲା କିନ୍ତୁ ଭୌଗଳିକ ସ୍ଥିତ ଓ ଜନସଂଖ୍ୟା ଦୃଷ୍ଟିରୁ ଶିକ୍ଷା ବିକାଶ ସେପରି ଆଖି ଦୃଶିଆ ହୋଇନଥିଲା । ଚୌହାନ ବଂଶ ରାଜତ୍ୱ ପୂର୍ବରୁ ବଲାଙ୍ଗିର ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ସ୍ତରରେ ଆଖି ଦୃଶିଆ ବିକାଶ କରିଥିଲେ ହେଁ ପରେ ପରେ ଗଡଜାତ ସମୟରେ ଶିକ୍ଷା ପ୍ରତି ଅବହେଳା କରାଗଲା । ବଲାଙ୍ଗିର ଭଳିଆ ବିରାଟ ଭୌଗଳିକ ଅଂଚଳରେ ମାତ୍ର ଗୋଟିଏ କି ଦୁଇଟା ଶିକ୍ଷାୟତନ ଥିଲା । ଫଳରେ ଧିରେ ଧିରେ ଶିକ୍ଷା ବ୍ୟବସ୍ଥାର ଅଧୋଗତି ହେଲା । ଲୋକଙ୍କ ଅର୍ଥନୈତିକ ଅବସ୍ଥା ଦୋହଳି ଗଲା ଓ ଲୋକେ କ୍ରମାଗତ ଭାବରେ ଗରିବ ହେବାକୁ ଲାଗିଲେ । ତେଣୁ ଯଦି ମୋର ବଲାଙ୍ଗିରର ବିକାଶ କରିବାର ଅଛି ତେବେ ଆମକୁ ଶିକ୍ଷା କ୍ଷେତ୍ରରେ ବିକାଶ କରିବାକୁ ହେବ ବୋଲି ବଲାଙ୍ଗିର ଦିନ୍ ପାଳନ ଅବସରରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ‘ମୋର ବଲାଙ୍ଗିର’ ଶିର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ, ଜାତୀୟ ଆଇନ କମିଶନ ସଦସ୍ୟ ତଥା ପୂର୍ବତନ ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ । ସେ ଏହି ମର୍ମରେ ଆଲୋଚନାଚକ୍ରର ଆୟୋଜକ ମାହେଶ୍ୱରୀ ସଂଗଠନ ଓ ବଲାଙ୍ଗିର ଦିନ୍ ସେମିନାର କମିଟିର ଏହି ଉଦ୍ୟମକୁ ଭୂୟସି ପ୍ରଶଂସା କରି କହିଛନ୍ତି ଯେ, ଆମମାନଙ୍କ ଏକତା, ସାମୁହିକ ଉଦ୍ୟମ ଯୋଗୁଁ ଗତ ୧୦ ବର୍ଷରେ ବଲାଙ୍ଗିର ଅନେକ କ୍ଷେତ୍ରରେ ଉନ୍ନତି କରିଛି । ଯେପରି କି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତଥା ଆନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନ ଚିକିତ୍ସା ଓ ଜଳ ପରିଚାଳନା କ୍ଷେତ୍ରରେ ବଲାଙ୍ଗିରକୁ ପୂର୍ବାଂଚଳରେ ଶ୍ରେଷ୍ଠ ଜିଲ୍ଲା ଭାବରେ ପୁରସ୍କୃତ କରିଛନ୍ତି । ସଂସ୍କୃତି ଗବେଷକ ଘାସିରାମ ମିଶ୍ର ନିଜ ବକ୍ତବ୍ୟରେ ଏ ଅଂଚଳର ଅମୂଲ୍ୟ ଖଣିଜ ପଦାର୍ଥ ଉପରେ ବର୍ତ୍ତମାନର ଦାନବ ଗୋଷ୍ଠୀର ଆଖି ପଡିଛି । ଏହାକୁ ସୁରକ୍ଷିତ ରଖିବା ସମୟ ଆସିଛି । ଏଥିପାଇଁ ବଲାଙ୍ଗିରର ଯୁବ ଶକ୍ତିମାନେ ସଚେତନ ହୋଇ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ବୋଲି ଆହ୍ୱାନ କରିଥିଲେ । ଆମ ଜିଲ୍ଲାର ଐତିହ୍ୟ, ପରଂପରା ସଂସ୍କୃତିର ବିଶାଳତାକୁ ଆମକୁ ସୁରକ୍ଷା ଦେବାକୁ ହେବ ନଚେତ ଆମ ଜିଲ୍ଲା ତାଙ୍କ ମୌଳିକତା ହରାଇବ ବୋଲି କହିଥିଲେ । ଆଲୋଚକ ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ କହିଥିଲେ ବଲାଙ୍ଗିରର ଇତିହାସ, ସଂସ୍କୃତି, ପ୍ରକୃତି ଓ ସମାଜିକ ସ୍ଥିତିର ସମୃଦ୍ଧ ଇତିହାସ ରହିଛି ତା ସତ୍ତ୍ୱେ ବଲାଙ୍ଗିର ପଛୁଆ କାହିଁକି ? ମୋ ମତରେ ଏଥିପାଇଁ ଯଦି କିଏ ଦାୟୀ ତେବେ ସେମାନେ ହେଉଛନ୍ତି ଆମ ପ୍ରତିକ୍ରିୟାହୀନ ଜନତା ବୋଲି ସେ କହିବା ସହ ବଲାଙ୍ଗିରର ବୀରତ୍ୱ ଇତିହାସରେ କମି ଅଛି ବୋଲି ସେ କହିଥିଲେ । ଐତିହାସିକ ଶିବପ୍ରସାଦ ନନ୍ଦ ବଲାଙ୍ଗିରର ନାମକରଣ ଉପରେ ଇତିହାସ ପୃଷ୍ଠାରୁ ବେଶ କିଛି ପ୍ରମାଣିତ ତତ୍ୱପ୍ରଦାନ କରିବା ସହ ବଲାଙ୍ଗିରର ଧରୋହର ରକ୍ଷା ପାଇଁ କାମ କରିଥିବା ପୂର୍ବସୁରି ଯଥା ଧରମସିଂ ମାନ୍ଧାତା, ଯୋଗେଶ୍ୱର କୁମୁରା, ଯୁଧିଷ୍ଠିର ମିଶ୍ର, ଚିନ୍ତାମଣି ରଥ, କପିଳେଶ୍ୱର ନନ୍ଦ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ନାମ ସ୍ମରଣ କରିଥିଲେ । ସେ ନିଜ ବକ୍ତବ୍ୟରେ ଚୌହାନ ବଂଶ ରାଜତ୍ୱ ସମୟରେ ବଲାଙ୍ଗିରରେ ମୌଳିକ ଅଧିକାର ବୋଲି କିଛି ନଥିଲା ବୋଲି କହିବା ସହ ୧୯୩୮ ମସିହା ସେପ୍ଟେମ୍ବର ୨୯ ତାରିଖରେ ଚୁଡାପାଲିରୁ ବଲାଙ୍ଗିର ଆସିଥିବା ପ୍ରଜା ଆନ୍ଦୋଳନ ଉପରେ ତଥ୍ୟ ରଖିଥିଲେ । ମଧୁସୂଦନ ନାୟକଙ୍କ ସଂଯୋଜନା ତଥା ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସ୍ୱାଗତ ଭାଷଣ ଦେଇ ୨୦୨୦ରେ କିପରି ବଲାଙ୍ଗିର ଦିନ୍‌ର ଆୟୋଜନ କରାଯାଇଥିଲା ସେ ଉପରେ ସୂଚନା ଦେଇଥିଲେ । ଆଲୋଚନାଚକ୍ରର ସମିକ୍ଷକ ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସଂଗୀତା ଦାଶ ବଲାଙ୍ଗିର ଦିନ୍ ସେମିନାର କମିଟି ତରଫରୁ ଶ୍ରୋତା, ଦର୍ଶକ, ଆୟୋଜକ ତଥା ଆଲୋଚକମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଆଲୋଚନା ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.