
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଏକ ପରିବେଶ ସଚେତନତା ସମ୍ପର୍କୀତ ଏକ ଆଲୋଚନାଚକ୍ର ଏନ୍ଆଇଟି ଆରଇସି କ୍ୟାମ୍ପସ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଅଧ୍ୟକ୍ଷା ତଥା ବରିଷ୍ଠ ଶିକ୍ଷୟିତ୍ରୀ ରୋଟାରିଆନ ନିରୁପମା ପତିଙ୍କ ସଂଯୋଜନା, ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ତନ୍ତୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରା ମୁଖ୍ୟ ଅତିଥି ଓ ରୋଟାରିଆନ ଅଜିତ ମୋହନ ପୁଝାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ପରିବେଶ ସଚେତନତା ଓ କାର୍ଯ୍ୟକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ପୁଝାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପ୍ରତ୍ତି ପରିବେଶ ପ୍ରଦୂଷଣର ହାର ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରି ଏକ ସବୁଜ ସୁନ୍ଦର ପୃଥିବୀ ଗଠନ କରିବା ସମସ୍ତଙ୍କ ପାଇଁ ଆହ୍ୱାନ ଓ ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ସେ ଛାତ୍ର ସମାଜକୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀମତୀ ବେହେରା ଏଭଳି ଆଲୋଚନା ଚକ୍ର କେବଳ ଛାତ୍ରଛାତ୍ରୀ କାହିଁକି, ସମସ୍ତଙ୍କ ପାଇଁ ଉପାଦେୟ ବୋଲି ମତ ରଖିଥିଲେ । ଏହି ଅବସରରେ ଶ୍ରୀ ପୂଝାରୀ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରି ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ସଭାପତି ରୋଟାରୀଆନ ପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରିଆନ ପତି ଅତିଥି ମାନଙ୍କ ପରିଚୟ ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଡ଼ଃ ମୀନତି ପଣ୍ଡା, ଡ଼ଃ କ୍ରିଷ୍ଣା ପରମାଣିକ, ସବିତା ମହାନ୍ତି, ଅନିତା ନାୟକ ଓ ବିଦ୍ୟାଳୟ ତରଫରୁ ମୀନତି ଖମାରୀ, ପ୍ରମିଳା ଡୁଙ୍ଗଡୁଙ୍ଗ,ହରିଶଙ୍କର କାମିଲା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ରୋଟାରିଆନ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।