ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପ୍ରଦେଶ କଂଗ୍ରେସ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସି ଭେଟିବା ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ବିଧାୟକ ନରସିଂହଙ୍କ ସହ ଗତକାଲି ଅପରାହ୍ନରେ ଦୀର୍ଘ ୧ ଘଂଟା କାଳ ଆଲୋଚନା ପରେ ପ୍ରଦେଶ କଂଗ୍ରେସ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ବିଧାୟକ ନରସିଂହଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିବା ସେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅବହେଳା କରିଥିବା ନେଇ ଲୋକେ ପ୍ରତିକ୍ରିୟାଶୀଳ ହେବା ସ୍ୱଭାବିକ । କଳାକାର ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨ ବର୍ଷ ବାସନ୍ଦ କରାଯିବା ପ୍ରସଙ୍ଗରେ ମଧ୍ୟ ଏହା ଉଚିତ ପଦକ୍ଷେପ ନୁହେଁ ବୋଲି ସେ ମତ ରଖିଛନ୍ତି ।