jayashree

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପ୍ରତିନିଧିସ୍ତରୀୟ ଆଲୋଚନାର ଦ୍ୱିତୀୟ ଦିନ ଅଧିବେଶନକୁ ସମ୍ବୋଧିତ କଲେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ

  • ଭୁବନେଶ୍ୱରରେ ଆଜି ଶେଷ ହେଲା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅଧୀନରେ ସଂସ୍କୃତି ମନ୍ତ୍ରଣାଳୟର ଆଲୋଚନା ଅଧିବେଶନ
  • କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଜି-୨୦ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରଠାରେ ଚାଲିଥିବା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱୀତୀୟ ବୈଠକ ଅଧୀନରେ ଆଲୋଚନା ଅଧିବେଶନ ଶେଷ ହୋଇଛି । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ତୃତୀୟ ଏବଂ ଚତୁର୍ଥ ପ୍ରାଥମିକତା : ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା’ ଏବଂ ‘ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାରପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିମାନେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ, ଯାହାକି ମୂର୍ତ୍ତ ରୂପ ନେବା ସହିତ କାର୍ଯ୍ୟଉନ୍ମୁଖି ସୁପାରିସ ଦିଗରେ ମାର୍ଗପ୍ରଶସ୍ତ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି । ଆଲୋଚନାର ପ୍ରାପ୍ତ ପରିଣାମ କାର୍ଯ୍ୟକାରୀ ହୋଇପାରିଲେ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହିତ ବିଶ୍ୱସ୍ତରରେ ଏ ଦିଗରେ ନୀତି ନିର୍ଦ୍ଧାରଣ କରାଯାଇପାରିବ ।
ଆଜି ଅନୁଷ୍ଠିତ ହୋଇଥିବା ଦୁଇଟି ଅଧିବେଶନରେ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ତୃତୀୟ ଓ ଚତୁର୍ଥ ପ୍ରାଥମିକତା କ୍ଷେତ୍ରରେ ଏକ ଖୋଲା ଆଲୋଚନା ହୋଇଥିଲା । କେନ୍ଦ୍ର ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖୀଙ୍କ ସ୍ୱତନ୍ତ୍ର ଅଭିଭାଷଣ ସହିତ ଦ୍ୱିତୀୟ ଅଧିବେଶନ ଶେଷ ହୋଇଥିଲା । ସମାପନ ଅଧିବେଶନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଅଗ୍ରଗତି କରିବାର କାର୍ଯ୍ୟ ପ୍ରକ୍ରିୟା ସଂକ୍ରାନ୍ତରେ ବିବରଣୀ ଦିଆଯିବା ସହିତ ସମୟ ନିର୍ଦ୍ଧାରଣ କରାଯାଇଥିଲା ।

ଆଲୋଚନା ଅଧିବେଶନ ପରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ । କୋଣାର୍କ ମନ୍ଦିର ନିକଟରେ ଥିବା ଇଣ୍ଡିଆନ୍‌ ଅଏଲ କର୍ପୋରେସନର ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ରକୁ ମଧ୍ୟ ବିଦେଶୀ ଅତିଥିମାନେ ବୁଲି ଦେଖିଥିଲେ । କୋଣାର୍କ ମନ୍ଦିରର ସ୍ଥାପତ୍ୟ କଳା ସେମାନଙ୍କୁ ପ୍ରଭାବିତ କରିଥିଲା। ବିଦେଶାଗତ ଅତିଥିଙ୍କ ପାଇଁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମାନେ କଳାକାରମାନଙ୍କ ଦ୍ୱାରା ପରିବେଷିତ ‘ଗୋଟିପୁଅ’ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ ଲେଖୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି । ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି । ଭାରତର ଐତିହ୍ୟ, ସଂସ୍କୃତି, ପ୍ରାଚୀନ ଜୀବନଶୈଳୀ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସ୍ୱାଧୀନତାର ଅମୃତକାଳରେ ଭାରତ ନୂଆ ଶିଖର ଛୁଇଁବା ଦିଗରେ ଅଗ୍ରସର ହେଉଛି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରାଚୀନ କାଳରୁ ଭାରତରେ ବିଜ୍ଞାନ ଓ ଧର୍ମର ଅଦ୍ଭୂତ ସମନ୍ୱୟ ରହିଆସିଛି । କୋଣାର୍କ ମନ୍ଦିର ଏହାର ଏକ ପ୍ରତୀକ । ଜି୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ବିଦେଶୀ ଅତିଥିମାନେ ଏହି ତଥ୍ୟ ବିଷୟରେ ଅବଗତ ହୋଇପାରିଛନ୍ତି ।

ଆଜି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ବିଧିବଦ୍ଧ ଭାବେ ଶେଷ ହେବ । ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସକାଳେ ଉଦୟଗିରି ଗୁମ୍ଫା ବୁଲି ଦେଖିବେ । ସଂସ୍କୃତି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ଲାଗି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଏକ ସମାବେଶୀ ଏବଂ ସହଭାଗୀ ମଞ୍ଚ ଯୋଗାଇ ଦେଇଛି । ସାଂସ୍କୃତିକ ବିବିଧତା କ୍ଷେତ୍ରରେ ବୈଶ୍ୱିକ ସହଭାଗିତା ଏବଂ ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଏହାର ଭୂମିକାକୁ ପ୍ରୋତ୍ସାହନ ଦେବା ଏହି ବୈଠକର ଉଦ୍ଦେଶ୍ୟ ।

Leave A Reply

Your email address will not be published.