
ବ୍ରହ୍ମପୁର, (କେପିଏନ୍ଏସ୍) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ (ସିଡିଏମଓ) ଡ଼ା. ଉମାଶଙ୍କର ମିଶ୍ରଙ୍କ ସହିତ ନଗର ଚିକିତ୍ସାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ଅଧିନରେ ଥିବା ବ୍ରହ୍ମପର ନଗର ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସରକାରଙ୍କ ନିୟମାନୁସାରେ ନିଯୁକ୍ତି ଦେବା, କର୍ମଚାରୀଙ୍କ ପାଇଁ କ୍ୱାଟର ନିର୍ମାଣ କରାଯାଉ, ବରିଷ୍ଠତା ଭିତ୍ତିରେ କର୍ମଚାରୀମାନଙ୍କୁ ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତ କରାଯାଇ ଯୋଗ୍ୟତା ଥିବା କମଚାରୀଙ୍କୁ ପଦୋନ୍ନତି ଦେଇ ୩ୟ ଶ୍ରେଣୀର ମାନ୍ୟତା ପ୍ରଦାନ କରାଯାଉ, ଜାତୀୟ ଦିବସ, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ କର୍ମଚାରୀଙ୍କୁ ଦିନକର ଦରମା ଦେବା ପାଇଁ ବହୁ ଦିନରୁ ବିଧି ରହିଛି । ଗତ ଦୁଇବର୍ଷର ଦରମା ଅଦ୍ୟାବଧି କର୍ମଚାରୀଙ୍କୁ ଦିଆଯାଇନାହିଁ । ତେଣୁ ତୁରନ୍ତ ଏହି ଦରମା ପ୍ରଦାନ କରାଯାଉ, ନିକଟରେ ଜନୈକ କର୍ମଚାରୀ ଟୁନା ଜେନାଙ୍କ ପ୍ରତି ହୋଇଥିବା ଆକ୍ରୋଶମୂଳକ ବଦଳିର ତଦନ୍ତ କରାଯାଉ, ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀ କେ.ଆପ୍ପାରାଓ ୨୦୧୭ ମସିହାରେ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ପୁତ୍ର କେ.ମାଲେଶୁ ଦୀର୍ଘଦିନ ଧରି ନିଯୁକ୍ତି ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ନିଯୁକ୍ତି ଦିଆଯାଇନାହିଁ, ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଉ, ନଗର ଚିକିତ୍ସାଳୟର ଅଧୀକ୍ଷକ ଓ କିଛି ଡ଼ାକ୍ତରଙ୍କ କାର୍ଯ୍ୟକଳାପରେ ସଂଘର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସିଡିଏମ୍ଓ ଶ୍ରୀ ମିଶ୍ର ଦାବୀଗୁଡ଼ିକ ଉପରେ ଆଲୋଚନା କରି ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ନଗର ଚିକିତ୍ସାଳୟର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗଞ୍ଜାମ ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘର ସଂପାଦକ ଜି.ନରସିଂହ ରାଓ, ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ସଂଘର କୋଷାଧ୍ୟକ୍ଷ ଟୁନା ଜେନା, କାର୍ଯ୍ୟକାରୀ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ଯୁଗ୍ମ ସମ୍ପାଦକ ବିପିନ ବିହାରୀ ନାୟକ, ଏଲ. ରବିନ୍ଦ୍ର ଦାସ, ବିଜୟ କୁମାର ପାତ୍ର, ତାରିଣୀ ପାତ୍ର, ସନ୍ତୋଷ ପଣ୍ଡିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।